ପୁରୀ: ବିଶ୍ୱନିୟନ୍ତାଙ୍କ ପବିତ୍ର ରଥଯାତ୍ରା ଜୁଲାଇ ୧୬ ତାରିଖ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ । ତିନିରଥର ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ମଙ୍ଗଳବାର ରଥ ନିର୍ମାଣର ୩୬ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ କରୁଛନ୍ତି । ଗରଗରା ବିନ୍ଧ ସହ ତିନିରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆରମ୍ଭ ହେଲା ତିନିରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ । ସୋମବାର ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ପୂଜା ସହ ଆରମ୍ଭ ହୋଇଥିଲା ତିନି ରଥର ପାଞ୍ଚ ଦଣ୍ଡା ର ଚଉପଟ ନିର୍ମାଣ କାର୍ଯ୍ୟ । ଅନୁକୂଳ ପୂଜା ପରେ ତିନିରଥ ସାଥି ମହାରଣା ସେବକ ମାନେ ପାଞ୍ଚଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରି ୪ ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏହି ପାଞ୍ଚ ଦଣ୍ଡା ସହ ପାର୍ଶ୍ୱଦଣ୍ଡା ନିର୍ମାଣ ପରେ ତିନିରଥର ଚକ – ଅଖ ର ଦିଗ ନିର୍ଣ୍ଣୟ ହୋଇ ଚକ – ଅଖ କୁ ବାନ୍ଧି ରଖିବା ପାଇଁ ଚକ.ଅଖ କୁ ଉଠିବ ପାଞ୍ଚ ଦଣ୍ଡା ସହ ପାଶ୍ୱଦଣ୍ଡା ଶେଷ ହେବ ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟ।

ରଥଖଳା ପାର୍ଶ୍ୱରେ କରତୀ ସେବକ ମାନେ ତାଳଧ୍ୱଜ ରଥ ର ପୋଲ ଗୟଳ ଚିରଟ ପରେ ଆରମ୍ଭ ହୋଇଛି ନନ୍ଦିଘୋଷ ରଥ ପୋଲ ଗୟଳ ର ଚିରଟ କାର୍ଯ୍ୟ ,ଚିରଟ ପୂର୍ବରୁ କରତୀ ସେବକ ମାନେ ଦୁଇ ପାର୍ଶ୍ୱ କୁ ବାରିସୀରେ ହାଣି ସମତଳ ବା ଚିତା କାର୍ଯ୍ୟ ଜାରୀ ରଖିଛନ୍ତି। ରୂପକାର ସେବକ ମାନେ ତିନିରଥର ୩୩ ଗୋଟି ସାଲ ଗୁଜ ର ରୂପ ଖୋଦେଇ ଶେଷ କରି ତିନିରଥର ୮ ଟି ଲେଖାଏଁ ତୀଖ ଗୁଜର ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଦଣ୍ଡା କଣ୍ଟା,ଗରଗରା କଣ୍ଟା ନିର୍ମାଣ ଶେଷ କରି ତିନିରଥର ଗୟଳ କଣ୍ଟା, ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୭ ଜଣ, କରତୀ ସେବକ ୪ଜଣ, ରୂପକାର ସେବକ ୨୧ଜଣ,ଓଝା କମାର ସେବକ ୨୦ଜଣ ,ବିନ୍ଧ କାରିଗର ୨ଜଣ, ପାହି ମହାରଣା ୨ ଜଣ,ରଥଖଳା ସହାୟକ ୧ ଜଣ ମୋଟ ୨୦୫ ଜଣ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ ରହିଛନ୍ତି ।
