ବାରିପଦା; ମୟୂରଭଞ୍ଜ ଜିଲ୍ଲା, ବିଜାତଳା ବ୍ଲକ, ଖେଜୁରୀ ଜଙ୍ଗଲ ଓ କାକୁଡ଼ିରୁମା ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରେ ଗତକାଲି ରାତିରେ ଜଣେ କବିରାଜଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗୋରୁମହିଷାଣି ଥାନା ଅନ୍ତର୍ଗତ ତାଣ୍ଡିପାଣି ଗ୍ରାମର ରାମେଶ୍ୱର ପିଙ୍ଗୁଆ (୪୫)। ସେ ସ୍ୱର୍ଗତ ବୁଧୁ ପିଙ୍ଗୁଆଙ୍କ ପୁତ୍ର ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଗୋରୁମହିଷାଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ହତ୍ୟାକାଣ୍ଡର କାରଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଏହି ଘଟଣାକୁ ନେଇ ଗୋରୁମହିଷାଣି ଥାନାରେ କେସ୍ ନମ୍ବର ୧୨୩/୨୬ ମୂଳେ ଏକ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି। ପୁଲିସର ତଦନ୍ତ ପରେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
