କଳାହାଣ୍ଡ: ଦନ୍ତା -ଦନ୍ତା ମଧ୍ଯରେ ଘମାଘୋଟ ଲଢ଼େଇ। ଏଥିରେ ଗୋଟିଏ ଦତ୍ତାର ମୃତ୍ୟୁ ଘଟିଛି।ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଲାଞ୍ଜିଗଡ ବ୍ଳକ କମର୍ଦ୍ଧା ଗାଁ ପୋଖରୀ ନିକଟ ପାରଙ୍ଗଲ ଜଙ୍ଗଲ ପାଦଦେଶରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦୀର୍ଘ ଦଶବର୍ଷ ହେଲା ଲାଞ୍ଜିଗଡ଼ ବ୍ଳକର କମଦ୍ଧା, ଭୁର୍ଟିଗଡ଼ ଓ ନର୍ଲା ବ୍ଳକର ବାଗପୁର, କୁରମେଲ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଲାଗି ରହିଛି। ହାତୀ-ମଣିଷ ସଂଘର୍ଷରେ ୫ ହାତୀ ଏବଂ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ହାତୀପଲ ହଜାର ହଜାର ଏକର ଜମିର ଫସଲ ଉଜାଡ଼ି ଦେଉଛନ୍ତି। ଦୁଇଦିନ ତଳେ ଦୁଇଟି ଦନ୍ତା ମଧ୍ୟରେ ତୁ ମୁଳ ଲଢ଼େଇ ହୋଇଥିଲା। ଏଥିରେ ଗୋଟିଏ ଦନ୍ତାର ମୃତ୍ୟୁ ହୋଇଯାଇଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ କମର୍ଦ୍ଧା ଫରେଷ୍ଟର ଦିଆଲୁ ରାଉତ, ଦଶରଥ ସାହୁ ସଦଳବଳ ପହଞ୍ଚିଥିଲେ। ଉତ୍ତର ବନଖଣ୍ଡ ଡିଏଫଓ ପ୍ରଭାକର ବର୍ମା, ଏସିଏଫ ପ୍ରଭୁଦତ୍ତ ମିଶ୍ର, ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜର ଭାରତଭୂଷଣ ଶବର ପ୍ରମୁଖଙ୍କ ଉପସ୍ଥିତିରେ ନର୍ଲା ପ୍ରାଣୀଧନ ଟିମ୍ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ମୃତ ହାତୀକୁ ଗାତଖୋଳି ପୋତି ଦିଆଯାଇଛି। ମୃତ ହାତୀ ନିକଟରେ ଅନ୍ୟ ହାତୀମାନେ ଜଗି ରହିଥିଲେ। ଫଳରେ ଘଟଣାସ୍ଥଳକୁ ପହଞ୍ଚିବାରେ ବିଳମ୍ବ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
