ପୁରୀ: ପବିତ୍ର ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ହେଉ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା କରି ପୁରୀ ସହର ଓ ସଦରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସୁବିଧା ପୁନଃ ପ୍ରଚଳନ କରିବା ଦାବିରେ ଚାଲିଥିବା ଅହିଂସାତ୍ମକ ଜନଜାଗରଣ ପଦଯାତ୍ରା ଆଜି ୨୦୮ ଦିନରେ ପହଞ୍ଚିଛି। ଦୀର୍ଘ ଦିନ ଧରି ନିରବଚ୍ଛିନ୍ନ ଭାବେ ଜାରି ରହିଥିବା ଏହି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପୁରୀବାସୀଙ୍କ ଧାର୍ମିକ ଭାବନା, ଆତ୍ମମର୍ଯ୍ୟାଦା ଓ ନ୍ୟାଯ୍ୟ ଦାବି ପ୍ରତି ସେମାନଙ୍କ ଦୃଢ଼ ସଂକଳ୍ପର ପ୍ରତୀକ ହୋଇଛି।ଉତ୍କଳ ଦିବସ ଅବସରରେ ଏପ୍ରିଲ ୧ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏବଂ ଏପ୍ରିଲ ୨ ତାରିଖରେ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ନିଜର ଦାବି ପୂରଣ ପାଇଁ ଦୃଢ଼ ସଂକଳ୍ପ ସହ ଆଗେଇ ଚାଲିଛି।

ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ପଦଯାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଉପସ୍ଥାପନ କରୁଛନ୍ତି। ଏହି ଆନ୍ଦୋଳନ କାହାରି ବିରୋଧରେ ନୁହେଁ; ବରଂ ମହାପ୍ରଭୁଙ୍କ ସମାନତା, ଭାଇଚାରା, ମାନବିକତା ଓ ସମାବେଶୀ ଜଗନ୍ନାଥ ସଂସ୍କୃତିର ମହାନ ଆଦର୍ଶକୁ ଉଜ୍ଜୀବିତ କରିବାର ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହର ଓ ସଦରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନର ସୁବିଧା ପୁନଃ ଲାଗୁ ନହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଅବ୍ୟାହତ ରହିବ। ଅହିଂସା, ଶାନ୍ତି ଓ ଗଣତାନ୍ତ୍ରିକ ମାର୍ଗରେ ଦାବି ପୂରଣ ପାଇଁ ଏହି ଜନଆନ୍ଦୋଳନ ଜାରି ରହିବ ବୋଲି ସେ ଦୃଢ଼ ମତ ପ୍ରକାଶ କରିଛନ୍ତି।ପବିତ୍ର ଗଜଲକ୍ଷ୍ମୀ ପୂଜାର ଏହି ଶୁଭ ଅବସରରେ ପଦଯାତ୍ରୀମାନେ ସତ୍ୟ, ଅହିଂସା, ନ୍ୟାୟ ଓ ଭାଇଚାରାର ପଥରେ ଆଗେଇ ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ସଂକଳ୍ପବଦ୍ଧ ରହିଛନ୍ତି। ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦରେ ସମାଜରେ ସମାନତା, ସଦ୍?ଭାବନା ଓ ମାନବିକତାର ଭାବନା ଆହୁରି ସୁଦୃଢ଼ ହେଉ—ଏହା ହିଁ ସମସ୍ତଙ୍କ କାମନା।

ରବିବାର ଏହି ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ଅଞ୍ଜୁବାଳା ମହାନ୍ତି, ଚାନ୍ଦିନୀ ମୁଦୁଲି, ଦୀପା ବେହେରା, ମମତା ସ୍ୱାଇଁ, ଯୁପିଟର ଦାସ, ରମେଶ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ଗଦାଧର ମହାରଣା, ସୁବାସ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ପଦଯାତ୍ରୀ ସାମିଲ ହୋଇ ଏହି ନ୍ୟାଯ୍ୟ ଦାବି ପ୍ରତି ନିଜର ଏକତା ଓ ସମର୍ଥନ ପ୍ରକାଶ କରିଥିଲେ।
