କଟକ: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାନୁଷ୍ଠାନ ଏସ୍ସିବି ମେଡିକାଲରେ ରୋଗୀ ସେବାର ଭିତ୍ତିଭୂମିକୁ ନେଇ ପୁଣି ଉଠିଛି ପ୍ରଶ୍ନ। ହସ୍ପିଟାଲର ସର୍ଜରି ବିଭାଗ କୋଠାରେ ଲିଫ୍ଟ ଅଚଳ ହୋଇଯିବାରୁ ରବିବାର ସନ୍ଧ୍ୟାରେ ୬ ଜଣ ରୋଗୀଙ୍କ ସମ୍ପର୍କୀୟ ପ୍ରାୟ ଅଧଘଣ୍ଟା ଧରି ଭିତରେ ଫସି ରହିଥିଲେ। ଶେଷରେ ଅଗ୍ନିଶମ ବାହିନୀ ଓ ଲିଫ୍ଟ ମରାମତି କର୍ମଚାରୀଙ୍କ ଉଦ୍ୟମରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଏହି ଘଟଣା ପୁଣିଥରେ ମେଡିକାଲର ଲିଫ୍ଟ ରକ୍ଷଣାବେକ୍ଷଣ ଓ ନିୟମିତ ଯାଞ୍ଚ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଚିହ୍ନ ଲଗାଇଛି। ସୂଚନା ଅନୁଯାୟୀ, ସର୍ଜରି ବିଭାଗର ଜି+୨ କୋଠାରେ ଥିବା ଲିଫ୍ଟରେ ଯାତ୍ରା କରୁଥିବା ସମୟରେ ହଠାତ୍? ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଅଚଳ ହୋଇପଡ଼ିଥିଲା। ଫଳରେ ଭିତରେ ଥିବା ଲୋକମାନେ ବାହାରକୁ ଆସି ନପାରି ଆତଙ୍କିତ ହୋଇପଡ଼ିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଲିଫ୍ଟ ମରାମତି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ଶେଖ୍? ମାୱାଜ୍? (୩୨), ରାଜ୍?ଦା ବେଗମ୍? (୫୦), ପ୍ରଦ୍ୟୁମ୍ନ ମହାପାତ୍ର (୩୬), ବାଦଲ ଦାସ (୫୯), ବିମଳା ପ୍ରଧାନ (୪୨) ଓ ଶାନ୍ତନୁ ସାହୁ (୪୫)ଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ତେବେ ଏସ୍?ସିବି ମେଡିକାଲରେ ଲିଫ୍ଟ ଅଚଳ ହେବା ଘଟଣା ନୂଆ ନୁହେଁ। ବିଭିନ୍ନ ସମୟରେ ଲିଫ୍ଟ ସମସ୍ୟା ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହଇରାଣ ହେବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ମଧ୍ୟରେ ବୟସ୍କ, ଗୁରୁତର ଅସୁସ୍ଥ ଓ ଚଳପ୍ରଚଳ କରିବାକୁ ଅକ୍ଷମ ବ୍ୟକ୍ତି ରହିଥାନ୍ତି। ଏପରି ସ୍ଥିତିରେ ଲିଫ୍ଟ ଅଚଳ ହେବା କେବଳ ଅସୁବିଧା ନୁହେଁ, ବରଂ ରୋଗୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ।ବାରମ୍ବାର ଏପରି ସମସ୍ୟା ଦେଖାଦେଉଥିବା ସତ୍ତ୍ୱେ ଲିଫ୍ଟଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଓ ଯାନ୍ତ୍ରିକ ଯାଞ୍ଚ କେତେ ନିୟମିତ ଭାବେ କରାଯାଉଛି, ତାହା ଏବେ ବଡ଼ ପ୍ରଶ୍ନ। ଲିଫ୍ଟରେ ତ୍ରୁଟି ଦେଖାଦେଲେ ତୁରନ୍ତ ମରାମତି ପାଇଁ କି ବ୍ୟବସ୍ଥା ରହିଛି? ରୋଗୀ ଓ ସମ୍ପର୍କୀୟଙ୍କ ସୁରକ୍ଷା ଦୃଷ୍ଟିରୁ ଜରୁରୀକାଳୀନ ଉଦ୍ଧାର ବ୍ୟବସ୍ଥା କେତେ ପ୍ରସ୍ତୁତ? ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ମେଡିକାଲ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି? ଏସ୍?ସିବି ଭଳି ଏକ ପ୍ରମୁଖ ଚିକିତ୍ସାନୁଷ୍ଠାନରେ ରୋଗୀ ସେବା ସହିତ ମୌଳିକ ଭିତ୍ତିଭୂମିର ସୁରକ୍ଷା ଓ ସୁଚାରୁ ପରିଚାଳନା ମଧ୍ୟ ସମାନ ଗୁରୁତ୍ୱ ବହନ କରେ। ତେଣୁ ଲିଫ୍ଟଗୁଡ଼ିକର ନିୟମିତ ଯାଞ୍ଚ, ତ୍ରୁଟିପୂର୍ଣ୍ଣ ଯନ୍ତ୍ରପାତିର ତୁରନ୍ତ ମରାମତି ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ଆବଶ୍ୟକ। ନଚେତ୍? ଏଭଳି ଅବହେଳା ଆଗାମୀ ଦିନରେ ଆହୁରି ବଡ଼ ଅଘଟଣର କାରଣ ହେବାର ଆଶଙ୍କା ରହିଛି।
