ବାରିପଦା /କରଞ୍ଜିଆ; ମୟୂରଭଞ୍ଜ ଜିଲ୍ଲା, ଶୁକୃଳି ବ୍ଲକ ଅନ୍ତର୍ଗତ ଖପରାସାହିରେ ଏକ ନିଆରା ପରମ୍ପରା ଓ ଧାର୍ମିକ ଆସ୍ଥା ମଧ୍ୟରେ ଦୁର୍ଗାପୂଜା ପାଳିତ ହୋଇଥାଏ। ଏଠାରେ ପାଞ୍ଚ ଦିନ ଧରି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ପରେ ଶେଷ ଦିନରେ ପାଳିତ ହୁଏ ପାରମ୍ପରିକ ‘ଖନ୍ଦା ମଡ଼ା’ ପର୍ବ। ଏହି ଅବସରରେ ଶ୍ରଦ୍ଧାଳୁ ମାନେ କଣ୍ଟା ଉପରେ ଗଡ଼ିବା ସହ ଜଳନ୍ତା ଅଙ୍ଗାର ଉପରେ ଚାଲି ନିଜର ଧାର୍ମିକ ଆସ୍ଥା ଓ ଭକ୍ତିଭାବ ପ୍ରକାଶ କରିଥାନ୍ତି। ସାଧକ ଭଗବାନ ଘଣାଙ୍କ କହିବା ଅନୁଯାୟୀ, ଅନ୍ୟମାନଙ୍କ ସୁଖ ଓ ସମୃଦ୍ଧି ପାଇଁ ନିଜେ କଷ୍ଟ ସହିବା, ଏହି ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ। ଅଞ୍ଚଳର ଗରିବ ଓ ଦୁଃଖୀ ଲୋକମାନେ ବିଭିନ୍ନ ସମସ୍ୟା ନେଇ ତାଙ୍କ ନିକଟକୁ ଆସିଥାନ୍ତି। ସେ ମା’ ଦୁର୍ଗାଙ୍କ ନିକଟରେ ସେମାନଙ୍କ ଦୁଃଖ ଓ ମାନସିକ ଜଣାଇଥାନ୍ତି। ଭକ୍ତମାନଙ୍କ ବିଶ୍ୱାସ ଅନୁଯାୟୀ, ମା’ଙ୍କ ଆଶୀର୍ବାଦରେ ସେମାନଙ୍କ ମନୋକାମନା ପୂରଣ ହୋଇଥାଏ। ଶ୍ରଦ୍ଧାଳୁମାନେ ବର୍ଷସାରା ବିଭିନ୍ନ ମାନସିକ କରିଥାନ୍ତି ଏବଂ ଦୁର୍ଗାପୂଜା ସମୟରେ ତାହା ମା’ଙ୍କ ନିକଟରେ ସମର୍ପଣ କରନ୍ତି। ନିଜ ସାମର୍ଥ୍ୟ ଅନୁଯାୟୀ କେହି ନଡ଼ିଆ, କଦଳୀ ଓ ମିଠା ଅର୍ପଣ କରୁଥିବା ବେଳେ ଆଉ କେତେକ ବଳି ଦେବା ପାଇଁ ମାନସିକ କରିଥାନ୍ତି। କୋଠିଘରେ ପାଞ୍ଚ ଦିନ ଧରି ମା’ଙ୍କ ଆବାହନ ଓ ପୂଜାର୍ଚ୍ଚନା କରାଯାଏ। ପୀଠ ଓ ପୂଜାମଣ୍ଡପରେ ପୂଜା ସମାପନ ପରେ ଶ୍ରଦ୍ଧାଳୁମାନେ ନିଜ ନିଜର ମାନସିକ ପୂରଣ କରିଥାନ୍ତି। ‘ଖନ୍ଦା ମଡ଼ା’ ପର୍ବ ପୂର୍ବରୁ ଶ୍ରଦ୍ଧାଳୁମାନେ କଣ୍ଟା ପିଢ଼ାରେ ବସି ଦୋଳି ଝୁଲିବା, ଚାବୁକରେ ନିଜକୁ ଆଘାତ କରିବା ଏବଂ ସପ୍ତଫେଣୀ କଣ୍ଟା ଉପରେ ଗଡ଼ିବା ଭଳି ରୀତିନୀତି ପାଳନ କରନ୍ତି। ଏହାପରେ ଖନ୍ଦା ଖୋଳି ସେଥିରେ ନିଆଁ ଜଳାଯାଏ ଏବଂ ଶ୍ରଦ୍ଧାଳୁମାନେ ଜଳନ୍ତା ଅଙ୍ଗାର ଉପରେ ଚାଲିଥାନ୍ତି। ଏହି ଘଟଣାକୁ ସାଧକ ଭଗବାନ ଘଣା ମା’ ଦୁର୍ଗାଙ୍କ ମହିମା ଓ ଆଶୀର୍ବାଦର ପ୍ରତୀକ ବୋଲି ବିଶ୍ୱାସ କରନ୍ତି। ଏହି ନିଆରା ପର୍ବ ଦେଖିବା ପାଇଁ ଆଖପାଖ ଗାଁ ସମେତ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟରୁ ମଧ୍ୟ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଖପରାସାହିର ଏହି ପରମ୍ପରା ଅଞ୍ଚଳର ଧାର୍ମିକ ଆସ୍ଥା ଓ ଲୋକସଂସ୍କୃତିର ଏକ ଅନନ୍ୟ ପରିଚୟ ବହନ କରେ।
