ବାରିପଦା; ମୟୁରଭଞ୍ଜ ଜିଲ୍ଲା, ବହଳଦା ବ୍ଲକ,ଝରାଡିହି ନିକଟସ୍ଥ କଣ ଗ୍ରାମରେ ସାବଜନୀନ ଦୁର୍ଗାପୂଜା କମିଟି ଟ୍ରଷ୍ଟ ପକ୍ଷରୁ ଖନ୍ଦାମଡା ବା ନିଆଁ ମଡା ଉତ୍ସବ ଉଦଯାପିତ ହୋଇ ଯାଇଛି। ଗ୍ରାମରେ ଥିବା ମାଆ ଦୂର୍ଗା”ଙ୍କ ମନ୍ଦିରରେ ଦଶହରା ପର୍ବ ଅବସରରେ ଦୀର୍ଘ ୧୬ ଦିନ ଧରି ଷୋଡଷ ପୂଜା ବିଧି ପାଳନ କରାଯାଇ ନବରାତ୍ରୀ ଏବଂ ଦଶହରା ପୂଜା କାର୍ଯ୍ୟ ସମ୍ପନ୍ନ ପରେ ବିଜୟା ଦଶମୀର ପର ଦିବସରେ ଏହି ଖନ୍ଦା ମଡା ବା ନିଆଁରେ ଚାଲିବା ଉତ୍ସବ ପାଳନ ହୋଇଥାଏ। ଏହି ଖନ୍ଦା ମଡା ଉତ୍ସବ ଦେଖିବାକୁ ପଡୋଶୀ ଝାଡଖଣ୍ଡ ଅଞ୍ଚଳର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଏହି ଉତ୍ସବ ବହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ନିଃସନ୍ତାନ ଦମ୍ପତ୍ତି, ରୋଗ ବ୍ୟାଧି ତଥା ବିଭିନ୍ନ ସମସ୍ୟା ରୁ ମୁକୁଳିବା ପାଇଁ ମାଆଙ୍କ ନିକଟରେ ବିଭିନ୍ନ ଲୋକେ ମାନସିକ ରଖିଥାନ୍ତି। ଏହି ମନ୍ଦିରରେ ମାଆ ଦୂର୍ଗାଙ୍କ କୌଣସି ପ୍ରତିମୂର୍ତ୍ତି ପୂଜା ପାଇ ନଥାଏ । ଏଠାରେ ମନ୍ଦିରର କାନ୍ଥରେ ନାଲି ମାଟିର ରଙ୍ଗ ଉପରେ ଅରୁଆ ଚାଉଳ ଗୁଣ୍ଡରେ ଝୋଟି ଦ୍ୱାରା ଅଙ୍କିତ ଚିତ୍ରରେ ମାଆ ଦୂର୍ଗା ପୂଜା ପାଇଥାନ୍ତି। ପ୍ରତ୍ୟେକ ବର୍ଷ ଭଳି ବିଧି ବିଧାନର ସହିତ ପୂଜାପାଠ ଏବଂ ନିତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ମନ୍ଦିର ପୂଜକ (ଦେହୁରୀ)ଙ୍କ ସହିତ ଭକ୍ତା ମାନେ ଖଣ୍ଡା ଧରି ନିକଟସ୍ଥ ନଦୀରୁ ଘଟ ଆଣିବା ବେଳେ ପାରମ୍ପାରିକ ବାଦ୍ୟର ତାଳରେ ଭକ୍ତାମାନେ ମାଆ’ଙ୍କ କାଳିସି ପ୍ରଭାବରେ ନୃତ୍ୟ କରୁଥିବା ଥିଲେ ଏବଂ ଚାବୁକ ମାଡରେ ଶାନ୍ତ ହେବା, ବରକୋଳି ଗଛଡାଳ କଣ୍ଟା ଉପରେ ଗଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଶେଷରେ ଅପରାହ୍ନ ସମୟରେ ଭକ୍ତା ମାନେ ଜଳନ୍ତା ଅଙ୍ଗାର ଉପରେ ଚାଲି ପୂଜାବିଧି ସମ୍ପନ୍ନ କରିଥାନ୍ତି। ଦେହୁରୀ ଘାସିରାମ ଦଳେଇ ଏବଂ ଗାୟକ କୁଲଦୀପ ମହାକୁଡ’ଙ୍କ ପୌରହିତ୍ୟରେ ସମସ୍ତ ପୂଜା କାର୍ଯ୍ୟ ରୀତିନିତୀ ଅନୁସାରେ ସମ୍ପନ୍ନ ହୋଇଥିବା ବେଳେ ଦାସୀ ବ୍ରହ୍ମାନନ୍ଦ ମହାକୁଡ, ମଧୁସୂଦନ ଦାସ, ସର୍ବେଶ୍ୱର ଦାସ, ଉପେନ୍ଦ୍ର ମହାନ୍ତ, ପ୍ରହରାଜ ପଲେଇ, ପ୍ରମୁଖ ପୂଜାବିଧିରେ ଅଂଶଗ୍ରହଣ କରିଥିଲେ । ଏହି ଖନ୍ଦାମଡା ଉତ୍ସବ ମାଆ ଦୂର୍ଗା ପୂଜା ସମିତି ର ଅଧ୍ୟକ୍ଷା ଛବିଲତା ବାରିକ, ସଭାପତି ରାଜାରାମ ବାରିକ, ଉପସଭାପତି ବିଶ୍ୱନାଥ ଦାସ, ସଂପାଦକ ତଥା କୋଷାଧ୍ୟକ୍ଷ କିଶୋରି ମହାକୁଡ ପ୍ରମୁଖଙ୍କ ତତ୍ୱାବଧାନରେ ପରିଚାଳନା ହୋଇଥିଲା ବେଳେ ସମିତି ସଭ୍ୟ ଝୁଣ୍ଟୁ ଦାସ, ପିଣ୍ଟୁ ଦାସ, ଆଲୋକ ଦାସ, ତାପସ ବାରିକ, ସୁମିତ ବାରିକ, ପରିକ୍ଷିତ ବାରିକ ଓ ଆସ୍ତିକ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।
