ବାରିପଦା; କୁଡ଼ୁମୀ ସମାଜର ପରମ୍ପରା, ସଂସ୍କୃତି ଓ ଏକତାର ମହାପର୍ବ ଜାତୀୟ ବାନ୍ଦନା ପରବ–୨୦୨୬ ପାଇଁ କୁଡ଼ୁମୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ବିଧିବଦ୍ଧ ଭାବେ ଶୁଭ ଖୁଣ୍ଟ ସ୍ଥାପନ କରାଯାଇଛି। ଆଗାମୀ ନଭେମ୍ବର ୧୧, ୧୨ ଓ ୧୩ ତାରିଖରେ ଅ-ଆ ଯୁବକ ସଂଘ, ଆଗୁଆଡ଼ ଏବଂ ଜାତୀୟ ବାନ୍ଦନା ପରବ କମିଟିର ମିଳିତ ଆନୁକୂଲ୍ୟରେ ଏହି ମହାପର୍ବ ଆୟୋଜିତ ହେବାକୁ ଯାଉଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଥମେ ଗୋରାମ ସ୍ଥାନ ବା ଜାହିରାରେ ମା’ ଷୋହଳ ରଥଙ୍କ ନିକଟରେ ଶୁଭ ଖୁଣ୍ଟ ପୂଜା କରାଯାଇଥିଲା। ଏହାପରେ ସମସ୍ତେ ବାବା ଆସ୍ତୁରେଶ୍ୱର ମହାଦେବଙ୍କ ମନ୍ଦିରରେ ପହଞ୍ଚି ଜାତୀୟ ବାନ୍ଦନା ପରବ–୨୦୨୬ର ସଫଳ ଆୟୋଜନ ଓ ମଙ୍ଗଳମୟ ସମାପନ ପାଇଁ ପ୍ରାର୍ଥନା କରିଥିଲେ। ପରେ ଏକ ବିଶାଳ ଶୋଭାଯାତ୍ରାରେ ପାରମ୍ପରିକ ରୀତିନୀତି ଓ ଉତ୍ସାହର ସହିତ ଶୁଭ ଖୁଣ୍ଟକୁ ଆଗୁଆଡ଼ ପଡ଼ିଆକୁ ଅଣାଯାଇଥିଲା। ସେଠାରେ ବିଧିବଦ୍ଧ ଭାବେ ଶୁଭ ଖୁଣ୍ଟ ସ୍ଥାପନ କରାଯାଇଥିଲା।
ଏହି ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳ ସମେତ ଦୂରଦୂରାନ୍ତର କୁଡ଼ୁମୀ ବହୁଳ ଅଞ୍ଚଳରୁ ହଜାର ହଜାର କୁଡ଼ୁମୀ ସମ୍ପ୍ରଦାୟର ଭାଇଭଉଣୀ ଅଂଶଗ୍ରହଣ କରି ଶୁଭ ଖୁଣ୍ଟ ସ୍ଥାପନ ପରେ ପାରମ୍ପରିକ ଝୁମର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ କୁଡ଼ୁମୀ ସମାଜର ପାରମ୍ପରିକ ଓ ସୁପରିଚିତ ଖାଦ୍ୟ ‘ଲେଠ’ ପ୍ରସାଦ ଭାବେ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଜାତୀୟ ବାନ୍ଦନା ପରବ କମିଟିର ସଭାପତି ଡ. କଳିପଦ ମହାନ୍ତ, ଉପସଭାପତି ଅଭିମନ୍ୟୁ ମହାନ୍ତ, ଡ. ମନୋଜ କୁମାର ମହାନ୍ତ, ସାଂଗଠନିକ ସମ୍ପାଦକ ସ୍ନେହାସିସ ମହାନ୍ତ, ଭାଗବତ ମହାନ୍ତ, ହୀରାଲାଲ ମହାନ୍ତଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ଅ-ଆ ଯୁବକ ସଂଘର ସଭାପତି ଶରତ ମହାନ୍ତ, ସମ୍ପାଦକ ଗୌରହରି ମହାନ୍ତ, ସହ-ସମ୍ପାଦକ ଭବାନୀ ଶଙ୍କର ମହାନ୍ତଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।
