ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୬୭ତମ ମୁକାବିଲାରେ ହାଇଦ୍ରାବାଦ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୫୫ ରନ୍ରେ ପରାସ୍ତ କରି ସନରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ବେଙ୍ଗାଲୁରୁ ୨୦ ଓଭରରେ ୪ଟି ୱିକେଟ ହରାଇ ୨୦୦ ରନ୍ ସଂଗ୍ରହ କରିପାରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବେଙ୍ଗାଲୁରୁ ୨୫୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ବେଙ୍ଗାଲୁରୁର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା। କିନ୍ତୁ କମ ସମୟ ମଧ୍ୟରେ ଦଳ ଆଗଧାଡ଼ିରେ ୩ ଜଣଖେଳାଳିଙ୍କୁ ହରାଇଥିଲା। ସ୍କୋର ୬୦ ରନ୍ରେ ପ୍ରାରମ୍ଭିକ ବ୍ୟାଟର ଭେଙ୍କଟେଶ ଆୟର, ୭୪ ରନ୍ରେ ବିରାଟ କୋହଲି ଏବଂ ୯୪ ରନ୍ରେ ଦେବଦୂତ୍ତ ପଡ୍ଡିକଲ ଆଉଟ୍ ହୋଇଥିଲେ। ଆୟର ବ୍ୟକ୍ତିଗତ ଭାବେ ୪୪ ରନ୍ ସଂଗ୍ରହ କରିଥିଲେ। ସେ ୧୯ଟି ବଲ୍ ଖେଳି ୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ବିରାଟ କୋହଲି ୧୧ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍ କରିଥିଲେ। ଦେବଦୂତ୍ତ ପଡ୍ଡିକଲ ୧୪ଟି ବଲ୍ରୁ ୨ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୧ ରନ୍ ସଂଗ୍ରହ କରିଥିଲେ। ଟସ୍ ଜିଣି ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ପେଟ କମିନ୍ସଙ୍କ ନେତୃତ୍ୱରେହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୫୫ ରନ୍ ସଂଗ୍ରହ କରିଥିଲା। ଘରୋଇ ଦଳ ସଫଳ ରଣନୀତି କରି ରନ୍ ସ୍କୋରକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ଦଳର ସମସ୍ତ ବ୍ୟାଟର ଏକ ଲୟରେ ଖେଳିଥିଲେ। ସମସ୍ତ ବ୍ୟାଟର ନିଜର ଉତ୍ତମ ପ୍ରଦର୍ଶନ ଦେବାକୁ ଉଦ୍ୟମ କରିଥିଲେ। ପ୍ରାରମ୍ଭିକ ବ୍ୟାଟିଂ ଠାରୁ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ରନ୍ର ଗତି ଏକ ଲକ୍ଷ୍ୟ ନେଇ ଆଗକୁ ବଢିଥିଲା। ହାଇଦ୍ରାବାଦର ବ୍ୟାଟିଂ ଆରମ୍ଭ କରିଥିଲେ ଅଭିଷେକ ଶର୍ମା ଏବଂ ଟ୍ରାଭିସ ହେଡ୍। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୪୫ ରନ୍ର ଭାଗିଦାରୀ କରିପାରିଥିଲେ। ଏଥିରୁ ଟ୍ରାଭିସ ହେଡ୍ବ୍ୟକ୍ତିଗତ ଭାବେ ୨୬ ରନ୍ ଯୋଗଦାନ ଦେଇଥିଲେ। ସେ ୧୬ଟି ବଲ୍ ସାମ୍ନା କରିଥିଲେ ଏବଂ ୫ଟି ଚୌକା ମାରିଥିଲେ। ବେଙ୍ଗାଲୁରୁର ଦ୍ୱିତୀୟ ଶିକାର ହୋଇଥିଲେ ଅଭିଷେକ ଶର୍ମା, ଯିଏକି ୫୬ ରନ୍ ସଂଗ୍ରହ କରିଥିଲେ। ସେ ୨୨ଟି ବଲ୍ ଖେଳି ୪ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ଏହା ପୂର୍ବରୁ ସେ ହେନରି କ୍ଲାସେଁଙ୍କ ସହିତ ୪୭ ରନ୍ର ଭାଗିଦାରୀ କରିଥିଲେ। ତେବେ ହାଇଦ୍ରାବାଦର ଖେଳାଳି କ୍ଲାସେଁ ଏବଂ ଈଶାନ କିଶନ ତୃତୀୟ ୱିକେଟ ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ଉଭୟ ଖେଳାଳି ନିଜ ଦଳ ପାଇଁ ୧୧୩ ରନ୍ ଯୋଡ଼ିଥିଲେ। ଏଥିରେ କ୍ଲାସେଁଙ୍କ ଯୋଗଦାନ ୫୧ ରନ୍ ଥିଲା। ସେ ୨୪ଟି ବଲ୍ ସାମ୍ନା କରିଥିଲେ ଏବଂ ୨ଟି ଚେ?କା ଏବଂ ୫ଟି ଛକା ମାରିଥିଲେ। ହାଇଦ୍ରାବାଦ ପାଇଁ ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୬ଟି ବଲ୍ ସାମ୍ନା କରିଥିଲେ ଏବଂ ୮ଟି ଚୌକା ଓ ୩ଟି ଛକା ବଳରେ ୭୯ ରନ୍ କରିଥିଲେ। ଯୁବ ବ୍ୟାଟର ନୀତିଶ କୁମାର ରେଡ୍ଡୀ ଅପରାଜିତ ୨୯ ରନ୍ କରିଥିଲେ। ଏଥିରେ ସେ ଗୋଟିଏ ଚୌକା ଏବଂ ୩ଟି ଛକା ସାମିଲ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ରସିକ ସାଲମ ଡାର ୨ଟି ୱିକେଟ ଅକ୍ତିଆର କରିଥିଲେ। ସୂୟାଂଶ ଶର୍ମା ଏବଂ କୃଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
