ପୁରୀ: ମାମୁଁଘରକୁ ବୁଲିବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ୯ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ହେଉଛନ୍ତି ନିଳକଣ୍ଠପୁର ଗ୍ରାମର ସୀମାଞ୍ଚଳ ରାଉତଙ୍କ ପୁଅ ଆୟୁଷ ରାଉତ। ସେ କୋଣାର୍କ ଅଞ୍ଚଳର ପୋଲାବସ୍ତ ଗ୍ରାମରେ ଥିବା ମାମୁଁଘରକୁ ବୁଲିବାକୁ ଯାଇଥିଲେ।
ସୂଚନା ଅନୁଯାୟୀ, ଆୟୁଷ ଗତକାଲି ରାତିରେ ମାମୁଁଘରକୁ ଯାଇଥିଲେ। ପରେ ସାଙ୍ଗମାନଙ୍କ ସହ ଗାଧୋଇବା ପାଇଁ ଏକ ପୋଖରୀକୁ ଯାଇଥିବା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୋଣାର୍କ ମେଡିକାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ତେବେ ପୁରୀ ବଡ଼ ମେଡିକାଲରେ ଡାକ୍ତର ଆୟୁଷଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ନିଳକଣ୍ଠପୁର ଓ ପୋଲାବସ୍ତ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
