ବାରିପଦା : ମୟୂରଭଞ୍ଜ ଜିଲ୍ଲା,ବେତନଟୀ ବ୍ଲକ,ବୈଶିଙ୍ଗା ଥାନା, ଗଡଦେଉଳିଆ ପଞ୍ଚାୟତ ଅଧୀନ ଗଣେଶ୍ୱରପୁର ଉପକଣ୍ଠ ବାଳିଆପିଟା ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ଘଟିଯାଇଛି ଲୋମହର୍ଷଣକାରୀ ଘଟଣା । ବୈଶିଙ୍ଗା ପୁଲିସ ଗୁରୁବାର ସକାଳ ସମୟରେ ଶୋଇବା ଘରୁ ଜୈନିକା ବିଧବା ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରିଥିବା ବେଳେ ତାଙ୍କର ଗୋଡ଼ ଦୁଇଟିକୁ ବନ୍ଧା ହୋଇ ଥିବା ବେଳେ ମୁହଁରେ ଲୁଗା ଢଙ୍କା ଯାଇଥିବା ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନା ମୂତାବକ ମୃତକ ମହିଳା ଜଣକ ହେଲେ ବାଳିଆପିଟା ଗ୍ରାମର ସ୍ୱର୍ଗତ ରାଜୁ ସିଂଙ୍କ ୫୦ ବର୍ଷିୟା ପତ୍ନୀ ଅନିତା ସିଂ ଓରଫ ଖନି। ଅନିତାଙ୍କ ଏକମାତ୍ର ପୁଅ ବିରେନ୍ଦ୍ର ବାହାରେ ରହି ସିକ୍ୟୁରିଟି ଭାବେ କାମ କରୁଥିବା ବେଳେ ଅନିତା ଏକାକୀ ଘରେ ରହୁଥିଲେ। ଘର ନିକଟରେ ଏକ ଛୋଟ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ତେବେ ଅନିତାଙ୍କ ଦୋକାନକୁ ଗୁରୁବାର ସକାଳ ସମୟରେ ଗ୍ରାମର ଜଣେ ମହିଳା ଏକ ଜିନିଷ କିଣିବା ପାଇଁ ଯାଇଥିଲେ। ଅନିତାକୁ ଡାକିଥିଲେ ସୁଦ୍ଧା ଅନିତା ନ ବାହାରିବାରୁ କବାଟ ଖୋଲା ଦେଖି ଡାକି ଡାକି ଘର ଭିତରକୁ ଯାଇଥିଲେ। ଘରେ ଦେଖିଲା ବେଳକୁ ଅନିତାର ଉଲଗ୍ନ ଅବସ୍ଥାରେ ମୃତଦେହ ବିଛଣାରେ ପଡିରହିଥିଲା। ଏହା ଦେଖି ସେ ଦୌଡି ଯାଇ ଗାଁ ଲୋକଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏହ ଦେଖି ସଙ୍ଗେ ସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ।ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମମତା ସାହୁ ଏବଂ ବେତନଟୀ ପୁଲିସ ଉପଖଣ୍ଡ ଅଧିକାରୀ ମିନତୀ ବିଶ୍ୱାଳ, ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ । ଏଥି ସହିତ ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ବ୍ୟାପକ କରିଥିଲା ପୁଲିସ । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଜଣା ପଡୁଥିଲା କି ଯେ କୌଣସି ଯୌନ ପିପାସୁ ଅନିତା ଏକୁଟିଆ ରହୁଥିବା ଜାଣି ଏହି ଏହିପରି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ତେବେ ଅନିତାର ଶବ ବ୍ୟବଛେଦ ପାଇଁ ବାରିପଦା ଡାକ୍ତର ଖାନାକୁ ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ଘଟଣାର ସତ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତଦନ୍ତକୁ ବ୍ୟାପକ କରାଯିବା ସହ ଖୁବ୍ ଶୀଘ୍ର ଏହି ଘଟଣାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
