ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ରେ ନିଜର ଶେଷ ଲିଗ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସର ଖେଳାଳିମାନେ ବଡ଼ ଉଦ୍ୟମ କରିଛନ୍ତି। ଶୁଭମନ ଗିଲଙ୍କ ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଚେନ୍ନାଇକୁ ଗୁଜରାଟ ୮୯ ରନରେ ପରାସ୍ତ କରିଛି। ଗୁଜରାଟ ପାଇଁ ମହମ୍ମଦ ସିରାଜ, ରସିଦ ଖାନ ଏବଂ କାଗିସୋ ରାବଡ଼ା ୩-୩-୩ ୱିକେଟ୍ ନେଇଛନ୍ତି। ଏହି ପରାଜୟ ସହିତ ଚେନ୍ନାଇର ପ୍ଲେଅଫ୍ ଖେଳିବାର ସ୍ୱପ୍ନ ଧୂଳିସାତ୍ ହୋଇଛି। ୨୩୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ବ୍ୟାଟିଂ କରିଥିଲା। ଋତୁରାଜ ଗାଏକ୍ୱାର୍ଡଙ୍କ ନେତୃତ୍ୱରେ ଚେନ୍ନାଇ ୧୩.୪ ଓଭରରେ ସମସ୍ତ ୱିକେଟ ହରାଇ ୧୪୦ ରନ୍ କରିଥିଲା। ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳର ସ୍କୋର ୫୧ ରନ୍ ବେଳକୁ ୫.୧ ଓଭରରେ ୪ଜଣ ଖେଳାଳି ଆଉଟ୍ ହୋଇସାରିଥିଲେ। ଏଥିରେ ସଞ୍ଜୁ ସାମସନ (ଶୂନ୍ୟ ରନ୍), ଋତୁରାଜ ଗାଏକ୍ୱାର୍ଡ (୧୬ ରନ୍), ଉର୍ଭିଲ ପଟେଲ (ଶୂନ୍ୟ ରନ୍) ଏବଂ ମ୍ୟାଥୁ ସର୍ଟ (୨୪ ରନ୍) ସାମିଲ ଅଛନ୍ତି। ସେହିପରି କାର୍ତ୍ତିକ ଶର୍ମା ମଧ୍ୟ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ସେ ୧୫ଟି ବଲ୍ ଖେଳି ୧୯ ରନ୍ ସଂଗ୍ରହ କରିଥିଲେ। ଏକଦା ଚେନ୍ନାଇ ପାଇଁ ଆଶା ସଞ୍ଚାର ଦେଖାଇଥିବା ଶିଭମ ଦୁବେ ବିସ୍ପୋରକ ବ୍ୟାଟିଂ କରିଥିଲେ। ସେ ୧୭ଟି ବଲ୍ ଖେଳି ୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ଶିଭମ ଦୁବେ ଆଉଟ୍ ହେଲା ପରେ ଚେନ୍ନାଇର ମ୍ୟାଚ୍ ବିଜୟ ଆଶା ମଉଳି ଯାଇଥିଲା। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଆଗଧାଡ଼ିର ୩ଜଣ ବ୍ୟାଟର (ସାଈ ସୁଦର୍ଶନ, ଶୁଭବନ ଗିଲ ଏବଂ ଜୋସ୍ ବଟଲର) ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୨୩୦ ରନ୍ ସଂଗ୍ରହ କରିଥିଲା। ଆଇପିଏଲ୍ର ଉନ୍ନବିଂଶ ସଂସ୍କରଣର ୬୬ତମ ମ୍ୟାଚ୍ରେ ଚେନ୍ନାଇ ସୁପରି କିଙ୍ଗ୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳକୁ ଚେନ୍ନାଇ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଗୁଜରାଟ ପାଇଁ ସାଈ ସୁଦର୍ଶନ ଏବଂ ଅଧିନାୟକ ଶୁଭମନ ଗିଲ୍ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ୧୨.୨ ଓଭରରେ ୧୨୫ ରନ୍ ସଂଗ୍ରହ କରିଥିଲେ। ଏହି ସ୍କୋରରେ ଗିଲଙ୍କ ଯୋଗଦାନ ୬୪ ରନ୍ ଥିଲା। ସ୍ପେନସର ଜନସନଙ୍କ ବଲ୍ ଶିଭମ ଦୁବେଙ୍କୁ କ୍ୟାଚ୍ ଦେଇ ଆଉଟ୍ ହେବା ପୂର୍ବରୁ ସେ ୩୭ଟି ବଲ୍ ଖେଳି ୭ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଚେନ୍ନାଇର ଦ୍ୱିତୀୟ ଶିକାର ହୋଇଥିଲେ ସାଈ ସୁଦର୍ଶନ। ସେ ଅଂଶୁଲ କମ୍ବେଜଙ୍କ ବଲ୍ ମ୍ୟାଥ୍ୟୁ ସର୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହେବା ପୂର୍ବରୁ ୮୪ ରନ୍ ସଂଗ୍ରହ କରିଥିଲେ। ସେ ୫୩ଟି ବଲ୍ ଖେଳି ୭ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ରାହୁଲ ତେୱାତିଆ ଗୋଟିଏ ବଲ୍ର ସାମ୍ନା କରିଥିଲେ ଏବଂ ରନ୍ ଆଉଟ୍ ହୋଇ ପାଭିଲିଅନକୁ ଫେରିଥିଲେ। ୱାସିଂଟନ ସୁନ୍ଦର ୩ଟି ବଲ୍ ଖେଳି ଗୋଟିଏ ଛକା ସହାୟତାରେ ୭ ରନ୍ କରିଥିଲେ। ଜୋସ ବଟଲର ୨୭ଟି ବଲ୍ ଖେଳି ୫ଟି ଚୌକା ଏବଂ ୪ଟି ଛକା ବଳରେ ୫୭ ରନ୍ ଯୋଗଦାନ କରିଥିଲେ।
