ବାରିପଦା; ସାନ୍ତାଳୀ ଭାଷାରେ ପ୍ରକାଶିତ ମାସିକ ସମ୍ବାଦପତ୍ର ଫାଗୁନର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନଠାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ସାନ୍ତାଳୀ ଭାଷା ଓ ଏହାର ସ୍ୱତନ୍ତ୍ର ଅଲଚିକି ଲିପିକୁ ଜାତୀୟ ଅନୁଷ୍ଠାନ ଗୁଡ଼ିକରେ ଅଧିକ ସ୍ୱୀକୃତି ଓ ବ୍ୟାପକ ପ୍ରଚଳନ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଫାଗୁନର ସହ ସମ୍ପାଦକ ସୁରୁକୁନି ମୁର୍ମୁଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳର କହିବା ଅନୁଯାୟୀ, ରାଷ୍ଟ୍ରପତି ସେମାନଙ୍କ ଦାବି ଓ ସମସ୍ୟାଗୁଡ଼ିକ ପ୍ରତି ସକାରାତ୍ମକ ମନୋଭାବ ପ୍ରକାଶ କରିବା ସହ ସାନ୍ତାଳୀ ଭାଷା ଏବଂ ଅଲଚିକି ଲିପିର ବିକାଶ ଓ ପ୍ରସାର ଦିଗରେ ବିଭିନ୍ନ ପ୍ରୟାସ ଜାରି ରହିଥିବା ନେଇ ଆଶ୍ୱାସନା ଦେଇଛନ୍ତି। ସ୍ମାରକପତ୍ରରେ ବିଶେଷକରି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି ) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ), ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସି ଇ ଆରଟି) ଏବଂ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ଭଳି ଜାତୀୟ ସ୍ତରର ପରୀକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଆସାମର ସାନ୍ତାଳୀ ଭାଷାଭାଷୀ ଅଞ୍ଚଳ ଗୁଡ଼ିକରେ ସମସ୍ତ ରାଜ୍ୟସ୍ତରୀୟ ଅନୁଷ୍ଠାନରେ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିର ସାର୍ବଜନୀନ ପ୍ରଚଳନ ପାଇଁ ଦାବି କରାଯାଇଛି। ପ୍ରତିନିଧି ଦଳ, ସାନ୍ତାଳୀ ଭାଷା ପାଇଁ ସ୍ୱତନ୍ତ୍ର ତଥା ପୂର୍ଣ୍ଣାଙ୍ଗ ଦୂରଦର୍ଶନ ଓ ଆକାଶବାଣୀ ପ୍ରସାରଣ ସେବା ପ୍ରତିଷ୍ଠା ପାଇଁ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି।
ସେହିପରି ଭାରତୀୟ ମୁଦ୍ରା ନୋଟରେ ସାନ୍ତାଳୀ ଭାଷାକୁ ଅଲଚିକି ଲିପିରେ ସ୍ଥାନ ଦେବା ପାଇଁ ମଧ୍ୟ ଦାବି କରାଯାଇଛି। ପ୍ରତିନିଧି ଦଳରେ ସୁରୁକୁନି ମୁର୍ମୁଙ୍କ ସମେତ ରଘୁନାଥ ହେମ୍ବ୍ରମ, ମଙ୍ଗଲ ମାଝୀ, ଘାସିରାମ ମୁର୍ମୁ, ଲୋଧେୟା ମାଝୀ, ମକରା ମାଝୀ, କୁଶଧର ହାଁସଦା, ରଞ୍ଜିତ ମୁର୍ମୁ, ଜିତେନ୍ଦ୍ର କୁମାର ଟୁଡୁ, ପୁରୁଷୋତ୍ତମ ନାୟକ, ମାଙ୍ଗାତ ମୁର୍ମୁ, ଲକ୍ଷ୍ମୀ ଦେବୀ ମୁର୍ମୁ, ପାର୍ବତୀ ବେଶ୍ରା, ମଧୁମିତା କିସ୍କୁ, ସଂଯୁକ୍ତା ହେମ୍ବ୍ରମ, ଯଶୋଦା ମୁର୍ମୁ, ନୀଳିମା ହେମ୍ବ୍ରମ, ସାଲହୋ ହେମ୍ବ୍ରମ, ସରସ୍ୱତୀ ମାଝୀ, ସାବିତ୍ରୀ ହାଁସଦା ଓ ଜୁଲି ମାଝୀ ପ୍ରମୁଖ ସାମିଲ ଥିଲେ।
