ଧୂଷୁରୀ: ବୈତରଣୀ ନଦୀର ଶାଖା କୋଚିଳାର ଡାହାଣ ପାର୍ଶ୍ୱ ବନ୍ଧ ଧସିଯିବା ଘଟଣାକୁ ନେଇ ଧାମନଗର ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। ଧାମନଗର ବ୍ଲକ୍ ଅନ୍ତର୍ଗତ ଅର୍ଜୁନପୁର ପଞ୍ଚାୟତର ତରେଇ ସାହି ନିକଟରେ ପାଟୁଳିରୁ ବାଲିପାଟଣାକୁ ସଂଯୋଗ କରୁଥିବା କୋଚିଳା ବ୍ରିଜ୍ର ମୁଣ୍ଡରେ ନଦୀବନ୍ଧ ଧସିଯାଇଛି। ଆଗକୁ ଲଘୁଚାପଜନିତ ବର୍ଷାର ପୂର୍ବାନୁମାନ ଥିବାରୁ ବନ୍ଧର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ନଦୀବନ୍ଧର ଏହି ଦୁର୍ବଳ ସ୍ଥାନରେ ତୁରନ୍ତ ମରାମତି କରା ନଗଲେ ବର୍ଷାଜନିତ ବନ୍ୟା ଆଶଙ୍କାରେ ସ୍ଥାନୀୟ ଜନଜୀବନ ପ୍ରଭାବିତ ହୋଇପାରେ। ବିଶେଷକରି ନଦୀର ଜଳସ୍ତର ବୃଦ୍ଧି ପାଇଲେ ବନ୍ଧ ଅଧିକ ଦୁର୍ବଳ ହେବା ସହ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଘଟଣାକୁ ନେଇ ତରେଇ ସାହି, ବାଲିପାଟଣା, ଶୈଲ, ମମାଦୁଲା, ଅସ୍ତକ, ହସନାବାଦ, ମଠସାହି ଓ ଅନଲଡିହ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଛନକା ପଶିଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ନଦୀବନ୍ଧର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ତୁରନ୍ତ ମରାମତି ଦାବି ବନ୍ଧର ଦୁର୍ବଳ ସ୍ଥାନକୁ ଗାନ୍ଧିଘାଟ ଜଳସେଚନ ସେକ୍ସନର ଅଧିକାରୀମାନେ ତୁରନ୍ତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ମରାମତି କାର୍ଯ୍ୟ ହାତକୁ ନେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ବର୍ଷା ପୂର୍ବରୁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ସ୍ଥିତି ଜଟିଳ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
