ମୁମ୍ବାଇ: ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିଚାଳନା ଘଟଣାରେ ଗିରଫ ହୋଇଥିବା ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଏଠାକାର ଏକ କୋର୍ଟ ବୁଧବାର ଦିନ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ବୁଧବାର ଭୋର ସମୟରେ ଏହି ଅଭିଯୁକ୍ତମାନଙ୍କୁ ରାଜସ୍ଥାନର କୋଟାରୁ ମୁମ୍ବାଇ ଅଣାଯାଇଥିଲା। ଏହି ତିନି ଜଣ ହେଲେ – ହରିୟାଣାର ସୋନିପତର ରେହାନ ଓରଫ ସୁକ୍କା; ବିହାରର ବେଗୁସରାଇର ମୂଳ ବାସିନ୍ଦା ତଥା ବର୍ତ୍ତମାନ ମୁମ୍ବାଇରେ ରହୁଥିବା ରିତିକ୍ କୁର୍ମି ଓରଫ୍ ରୋଶନ; ଏବଂ ହରିୟାଣାର ଫୁଲ ସିଂହ। ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ସେମାନଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରିଥିଲା ଏବଂ ବିସ୍ତୃତ ତଦନ୍ତ ପାଇଁ ୧୪ ଦିନିଆ ପୋଲିସ ହେପାଜତ ମାଗିଥିଲା। ପୋଲିସ କୋର୍ଟକୁ ଜଣାଇଲା ଯେ, ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିବା ଆବଶ୍ୟକ ଏବଂ ଅଭିଯୁକ୍ତମାନେ ଦୁଇଟି ମୋବାଇଲ୍ ଫୋନ୍ ନଷ୍ଟ କରିଦେଇଛନ୍ତି। ଏହି ଘଟଣା ପଛରେ ଥିବା ଷଡ଼ଯନ୍ତ୍ର ଏବଂ ଉଦ୍ଦେଶ୍ୟ ଉନ୍ମୋଚନ କରିବା ପାଇଁ ସେମାନଙ୍କୁ ହେପାଜତରେ ରଖିବା ଆବଶ୍ୟକ ବୋଲି ପୋଲିସ କହିଛି। ଅଭିଯୁକ୍ତଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ଅଜିଙ୍କ୍ୟ ମିର୍ଗାଲ ଏବଂ ସତ୍ୟବ୍ରତ ଯୋଶୀ ଏହି ରିମାଣ୍ଡକୁ ବିରୋଧ କରି ଯୁକ୍ତି ବାଢ଼ିଥିଲେ ଯେ, ଅସ୍ତ୍ରଶସ୍ତ୍ର ଉଦ୍ଧାର ପାଇଁ ହେପାଜତର ଆବଶ୍ୟକତା ନାହିଁ। ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ଟ୍ରାଞ୍ଜିଟ୍ ରିମାଣ୍ଡରେ ଥିବାବେଳେ ହିଁ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଇସାରିଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଅଭିଯୁକ୍ତମାନଙ୍କୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି।
