ଚଣ୍ଡିଖୋଲ: ବେଆଇନ ଗୋରୁ ଚାଲାଣ ଉପରେ ବଡ଼ଚଣା ପୋଲିସର ପକ୍ଷରୁ କାର୍ଯ୍ୟାନୁଷ୍ଠାନ। ୬ଟି ଗୋରୁ ବୋଝେଇ ଟାଟା ଏସି ଗାଡ଼ିକୁ ଜବତ କରିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏଥିସହ ଅଭିଯୁକ୍ତମାନଙ୍କ ବ୍ୟବହୃତ ଏକ ହିରୋ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି।ସୂଚନା ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ଏକ ଟାଟା ଏସି ଗାଡ଼ି (ଓଡି-୦୫-୬୪୨୧) ରେ ୬ଟି ଗୋରୁଙ୍କୁ ଅତି ଅମାନବୀୟ ଭାବେ ବୋଝେଇ କରି ଚାଲାଣ କରାଯାଉ ଥିବା ନେଇ ନାଇଟ୍ ଡ୍ୟୁଟିରେ ଥିବା ବଡ଼ଚଣା ଥାନା ଏସ୍ଆଇ ଶାନ୍ତନୁ ମିଶ୍ର ଖବର ପାଇଥିଲେ।ଖବର ପାଇ ଏସ୍ଆଇ ଶ୍ରୀ ମିଶ୍ର ଧାନମଣ୍ଡଳ ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ଙ୍କ ସହଯୋଗରେ କେଶରପଡ଼ା ନିକଟରେ ଉକ୍ତ ଗାଡ଼ିକୁ ଅଟକାଇ ଜବତ କରିଥିଲେ।ଏହାପରେ ଗାଡ଼ିର ଡ୍ରାଇଭର ଓ ସହଯୋଗୀଙ୍କ ସହାୟତାରେ ଗୋରୁ ଚାଲାଣରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଯୋଜନା କରିଥିଲା। ଗାଡ଼ି ଖରାପ ହୋଇ ଥିବା ବାହାନା କରି ତାଙ୍କୁ ଘଟଣା ସ୍ଥଳକୁ ଡକାଇଥିଲେ । ସେଠାରେ ପୂର୍ବରୁ ଲୁଚି ରହିଥିବା ପୋଲିସ ଟିମ୍ ତାଙ୍କୁ କାବୁ କରିଥିଲା।ଉଦ୍ଧାର ହୋଇଥିବା ୬ଟି ଗୋମାତା ଙ୍କ ମଧ୍ୟରୁ ଗୋଟିଏ ଗୋମାତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରେ ପୋଲିସ ସ୍ଥାନୀୟ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀଙ୍କ ସହଯୋଗରେ ମୃତ ଗୋରୁର ସତ୍କାର କରାଇଥିଲା।ପୋଲିସ ସୂତ୍ରରୁ ଜଣାପଡ଼ିଥିବା ଅନୁଯାୟୀ,ଗିରଫ ୩ ଅଭିଯୁକ୍ତ ହେଲେ ଦର୍ପଣୀଗଡ଼ ଗ୍ରାମର ୧-ଶେଖ୍ ତସଲିମ୍? ମହମ୍ମଦ (୩୭), ପି :ସ୍ୱର୍ଗତ ସେକ ୟାକୁବ,୨-ଶେଖ୍ ଆଜାରୁଦ୍ଦିନ (୩୧) ପି :ସେକ ଆସିମୁଦ୍ଧିନ,୩-ଶେଖ୍ ଗୁଡ୍ଡୁ (୧୮)ପି :ଜେଫିରୁଦ୍ଧିନ। ପୋଲିସ ଗୋରୁ ବୋଝେଇ ଟାଟା ଏସି ସହ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଓଡି-୦୪-ଜି-୪୫୦୨ ନମ୍ବର ବିଶିଷ୍ଟ ମୋଟରସାଇକେଲ କୁ ମଧ୍ୟ ଜବତ କରିଛି।ଏହି ଘଟଣାରେ ବଡ଼ଚଣା ପୋଲିସ ଏକ ମାମଲା ୩୫୨/୨୬ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।ଗୋରୁ ଚାଲାଣକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଅନ୍ୟପକ୍ଷ ରେ,ବଡ଼ଚଣା ନିର୍ବାଚନମଣ୍ଡଳୀର ଚାରିନଙ୍ଗଳ, ନଳିପୁର,ସୁଙ୍ଗୁଡ଼ା, କୁମାରସାହି, ଦର୍ପଣୀ, କୋଲସାହି ପାଟଣା, ମଙ୍ଗରାଜ ପୁର, କେଶରପଡ଼ା ଓ ଶାଳପଡ଼ା ଆଦି ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ହେଉଥିବା ନେଇ ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି।ଏହି ଅଞ୍ଚଳରେ ଗୋରୁ ଚାଲାଣ ରୋକିବା ପାଇଁ ପୋଲିସର ଅଧିକ ତତ୍ପରତା ଆବଶ୍ୟକ ବୋଲି କେତେକ ବୁଦ୍ଧିଜୀବୀ ମତ ଦେଇଛନ୍ତି। ବଡ଼ଚଣା ଥାନା ଅଧିକାରୀ ଏହି ସମସ୍ୟା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉନଥିବା ନେଇ ମଧ୍ୟ କେତେକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଗୋରୁ ଚାଲାଣ ରୋକିବା ଦିଗରେ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
