ବାରିପଦା; ମୟୂରଭଞ୍ଜ ଜିଲ୍ଲା, ବିଜିପୁରସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ଯୋଗ ସାଧନା କେନ୍ଦ୍ର ପରିସରରେ ଏକ ବିଶାଳ ଅସ୍ଥିଶଲ୍ୟ ଓ ଗଣ୍ଠିଜନିତ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୨୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଉପକୃତ ହୋଇଥିଲେ। ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏବଂ ଶ୍ରୀମା ଶ୍ରୀଅରବିନ୍ଦ ଯୋଗ ସାଧନା କେନ୍ଦ୍ରର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏହି ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା। ଶିବିରରେ ସ୍ୱିଡେନ୍ରୁ ଆସିଥିବା ରିଉମାଟୋଲୋଜି ବିଶେଷଜ୍ଞ ଡାକ୍ତର ମାଇକେଲ୍ ଜିଗେଲାଶ୍ ଓ ଡାକ୍ତର ରବିନାରାୟଣ ଦାସଙ୍କ ସମେତ ଡାକ୍ତର ଏଲେନି ଫିଲିପୋ ରୋଗୀମାନଙ୍କୁ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ।

ସେମାନଙ୍କ ସହ ନର୍ସ ଆନ୍ ହଲ୍ବର୍ଗ ଓ ନର୍ସ ସହାୟିକା ହେଲେନା ମୋଲର୍ ମଧ୍ୟ ଶିବିରରେ ସେବା ଯୋଗାଇଥିଲେ। ହାଡ଼ ଓ ଗଣ୍ଠିଜନିତ ଯନ୍ତ୍ରଣା, ଗଣ୍ଠି ଫୁଲିବା ଏବଂ ବିଭିନ୍ନ ରିଉମାଟିକ୍ ସମସ୍ୟାରେ ପୀଡ଼ିତ ରୋଗୀମାନେ ବିଶେଷଜ୍ଞଙ୍କଠାରୁ ଚିକିତ୍ସା ଓ ଆବଶ୍ୟକୀୟ ପରାମର୍ଶ ପାଇଥିଲେ। ଦୂରଦୂରାନ୍ତରୁ ଆସିଥିବା ରୋଗୀମାନଙ୍କୁ ଏହି ସେବା ଯୋଗାଇଦେବା ଦ୍ୱାରା ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ବିଶେଷଜ୍ଞ ଚିକିତ୍ସା ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା। ଏହି ଶିବିରରେ ଶ୍ରୀମା ଶ୍ରୀଅରବିନ୍ଦ ଯୋଗ ସାଧନା କେନ୍ଦ୍ରର କର୍ମକର୍ତ୍ତାମାନଙ୍କ ଭୂମିକାକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ। ଏପରି ଜନହିତକର ସ୍ୱାସ୍ଥ୍ୟ ଶିବିର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଉପାଦେୟ ବୋଲି ମତ ପ୍ରକାଶ ପାଇଥିଲା।
