ମୁମ୍ବାଇ: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଙ୍ଗଳବାର ଦିନ ଭାରତକୁ ଏକ “ରିଫାଇନିଂ ମହାଶକ୍ତି’ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାର ପ୍ରତିନିଧି ଦଳ ଭେନେଜୁଏଲାରେ ତୈଳ ଉତ୍ପାଦନ ସମ୍ବନ୍ଧରେ ରିଲାଏନ୍ସ ସହ ଆଲୋଚନା କରିବ। ବିଶ୍ୱର ଶକ୍ତି ଚାହିଦା ପୂରଣ କରିବାରେ ଭାରତ କ’ଣ ଭୂମିକା ଗ୍ରହଣ କରିପାରିବ, ସେ ବିଷୟରେ ପଚରାଯିବାରୁ ରୁବିଓ କହିଲେ, ଭାରତ ଏକ ରିଫାଇନିଂ ମହାଶକ୍ତି। ସେମାନଙ୍କ ପାଖରେ ଭାରୀ କ୍ରୁଡ୍ ଅଏଲ୍ ବିଶୋଧନ କରିବାର କ୍ଷମତା ରହିଛି। ସେମାନେ ଅତୀତରେ ମଧ୍ୟ ଏପରି କରିଛନ୍ତି ଏବଂ ମୋର ବିଶ୍ୱାସ ଯେ, ଯେହେତୁ ଭେନେଜୁଏଲାରୁ ଅଧିକ ତୈଳ ଉପଲବ୍ଧ ହେବ, ତେଣୁ ଭାରତ ଏହା ନିଶ୍ଚିତ ଭାବରେ କରିପାରିବ। ମୁମ୍ବାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରୁବିଓ କହିଲେ, ଏହା ବ୍ୟତୀତ, ଭେନେଜୁଏଲାରେ ଭାରତର ପୂର୍ବରୁ ହିଁ ତୈଳ ଉତ୍ପାଦନ ସମ୍ବନ୍ଧୀୟ ଅନୁମତି ରହିଛି, ଯାହା ମାଧ୍ୟମରେ ସେମାନେ ନିଜେ ଅଧିକ ତୈଳ ଉତ୍ପାଦନ କରିପାରିବେ। ସେ କହିଲେ ଯେ ଏସବୁ ସକାରାତ୍ମକ ବିଷୟ ଅଟେ। ରୁବିଓ ଆହୁରି ମଧ୍ୟ କହିଲେ, “ମୁଁ ଏହା ଦାବି କରୁନାହିଁ ଯେ ବିଶ୍ୱରେ ଘଟୁଥିବା ବିଭିନ୍ନ ଘଟଣାକ୍ରମ ଯୋଗୁଁ ସୃଷ୍ଟି ହୋଇଥିବା ତୈଳ ଅଭାବକୁ କେବଳ ଭେନେଜୁଏଲା ପୂରଣ କରିପାରିବ। କିନ୍ତୁ ମୋର ବିଶ୍ୱାସ ଯେ ସମୟକ୍ରମେ ଏହା ନିଶ୍ଚିତ ଭାବରେ ସମ୍ଭବ ହେବ ଏବଂ ଅଳ୍ପ ସମୟ ମଧ୍ୟରେ ମଧ୍ୟ ଏହା ସହାୟକ ହୋଇପାରିବ। ସେ କହିଲେ, “ତେଣୁ, ଆମେ ଏହି ବିଷୟ ଉପରେ ଆଲୋଚନା କରିବୁ। ଭାରତ ସହ ଆମେ ପୂର୍ବରୁ ମଧ୍ୟ ଏ ବିଷୟରେ କଥା ହୋଇଛୁ ଏବଂ ସେମାନେ ପ୍ରସ୍ତୁତ ଥିବା ପରି ମନେହେଉଛି। ସେମାନେ ଏହା କରିବାକୁ ଇଚ୍ଛୁକ ଅଛନ୍ତି। ତେବେ, କଟକଣା ଇତ୍ୟାଦି କିଛି ବାଧାବିଘ୍ନ ରହିପାରେ, ଯାହାକୁ ଆମକୁ ଦୂର କରିବାକୁ ପଡ଼ିବ।
