ପାରାଦୀପ: ପାରାଦୀପ ସମୁଦ୍ର ବେଳାଭୂମିରେ ପୁଣି ମଦ୍ୟପଙ୍କ ଆଡ୍ଡା ଜମିବା ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି। ଆଇପିଏସ୍ ଅଧିକାରୀ ଆଜିଂକ୍ୟ ବାବୁରାଓଙ୍କ କାର୍ଯ୍ୟାନୁଷ୍ଠାନ ଫଳରେ ଏସବୁ କାର୍ଯ୍ୟକଳାପ ପ୍ରାୟ ବନ୍ଦ ହୋଇଯାଇଥିବା ବେଳେ ତାଙ୍କର ବଦଳି ପରେ ବେଳାଭୂମିରେ ଏଭଳି ସ୍ଥିତି ପୁଣି ଦେଖାଦେଇଥିବା କୁହାଯାଉଛି। ଗତ ରବିବାର ପାରାଦୀପ କଲେଜ ଏନ୍?ସିସି ଆଲୁମ୍ନି ଆସୋସିଏସନ ପକ୍ଷରୁ ନିୟମିତ ଅନ୍ତରରେ ଆୟୋଜିତ ସମୁଦ୍ର ବେଳାଭୂମି ସଫେଇ ଅଭିଯାନ ସମୟରେ ବହୁ ସଂଖ୍ୟାରେ ମଦ ବୋତଲ ମିଳିବା ପରେ ଏଭଳି ଘଟଣାକୁ ନେଇ ଚିନ୍ତା ବଢ଼ାଇଛି। ପାରାଦୀପ କଲେଜ ଏନ୍?ସିସି ଆଲୁମ୍ନି ଆସୋସିଏସନ ପ୍ରତ୍ୟେକ ରବିବାର ବେଳାଭୂମି ସଫେଇ କରିବା ସହ ସାଧାରଣ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିଆସୁଛି। ବେଳାଭୂମିରେ ଏଣେତେଣେ ଆବର୍ଜନା ନ ପକାଇ ଡଷ୍ଟବିନ୍?ରେ ପକାଇବାକୁ ସଂଘ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଉଛି। କିନ୍ତୁ ବେଳାଭୂମିରେ ମଦ ବୋତଲ ଓ ଅନ୍ୟ ଆବର୍ଜନା ପଡ଼ି ରହିବା ସହରର ସ୍ୱଚ୍ଛତା ଏବଂ ପରିବେଶ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ତଥା ପାରାଦ୍ୱୀପ ପୌରପାଳିକାର ସ୍ୱଚ୍ଛତା ରାଷ୍ଟ୍ରଦୂତ ଅମ୍ବିକା ପ୍ରସାଦ ମହାପାତ୍ର କହିଛନ୍ତି ଯେ, “ଆମକୁ ଫରକ ପଡ଼ୁଛି। ଆମ ବେଳାଭୂମି ଓ ଆମ ସହରକୁ ସ୍ୱଚ୍ଛ, ସୁନ୍ଦର ଏବଂ ସୁସ୍ଥ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଛୋଟ ଛୋଟ ଦାୟିତ୍ୱ ତୁଲାଇଲେ ସ୍ୱଚ୍ଛ ପାରାଦ୍ୱୀପ, ସୁସ୍ଥ ପାରାଦ୍ୱୀପ ଗଠନ ସମ୍ଭବ ହେବ। ଏହାଦ୍ୱାରା ହିଁ ସ୍ୱଚ୍ଛ ଭାରତର ସ୍ୱପ୍ନ ସାକାର ହୋଇପାରିବ।” ନିଶାଠାରୁ ଦୂରେଇ ରହିବା ସହ ସମସ୍ତେ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ଉଚିତ। ବେଳାଭୂମିରେ ଲୋକଙ୍କ ବସିବା ପାଇଁ ଉଦ୍ଦିଷ୍ଟ ବେଞ୍ଚ୍?ଗୁଡ଼ିକରେ କିଛି ବ୍ୟକ୍ତି ମଦ୍ୟପାନ କରୁଥିବା ଏବଂ ମଦ୍ୟପମାନଙ୍କ ଉପଦ୍ରବ ନେଇ ଅଭିଯୋଗ ଆସୁଥିବାରୁ ଏହା ଉପରେ ତୁରନ୍ତ ରୋକ୍? ଲଗାଇବା ଆବଶ୍ୟକ। ବେଳାଭୂମିରେ ନିୟମିତ ପୋଲିସ ପାଟ୍ରୋଲିଂ କରିବା ସହ ମଦ୍ୟପାନ କରି ସାଧାରଣ ପରିବେଶକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେଶ୍ରୀ ମହାପାତ୍ର ପ୍ରଶାସନ ଓ ପୋଲିସକୁ ଅନୁରୋଧ କରିଛନ୍ତି। ବେଳାଭୂମି କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ଏହା ପାରାଦ୍ୱୀପର ପରିଚୟ। ତେଣୁ ଏହାର ସ୍ୱଚ୍ଛତା, ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ସହ ଜନସାଧାରଣ ମଧ୍ୟ ସହଯୋଗ କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି।
