ପୁରୀ: ଜୁଲାଇ ୧୬ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ରଥ ନିର୍ମାଣର ୨୮ ତମ ଦିବସରେ ସୋମବାର ବିଶ୍ୱକର୍ମା ମହାରଣା ସେବକ ମାନେ ତିନିରଥ ର ୪୨ ଚକ ନିର୍ମାଣ ଶେଷ କରିଛନ୍ତି । ରବିବାର ତିନିରଥ ୩୯ ଗୋଟି ଚକ ନିର୍ମାଣ ଶେଷ ହୋଇଯାଇଥିଲା ବାକି ତିନି ରଥର ଗୋଟିଏ ଗୋଟିଏ ଚକ ତୁମ୍ଭରେ ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ସିଙ୍ଗଡା ବାଡ଼ିଆ କାର୍ଯ୍ୟ ଭୋଇ ସେବକ ମାନେ ସମ୍ପୁର୍ଣ୍ଣ କରିଛନ୍ତି । ଭୋଇ ସେବକ ମାନେ ତିନି ରଥ ମହାରଣା ସେବକ ମାନଙ୍କୁ ଯୋଗାଇ ଦେବା ପରେ ତିନିରଥର ଶେଷ ତିନି ଗୋଟି ଚକ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ । ରଥଖଳା ଠାକୁରାଣୀ ମା ଚର୍ଚ୍ଚିକାଙ୍କ ନିକଟରେ ପଣା ଭୋଗ କରାଯାଇ ଯନ୍ତାଗାଡ ମାଟି ପକାଇ ମୁଦ କରାଯାଇଛି । ତିନିରଥ ଚାରି ନାହାକା ର ଦୁଇ ମୁଖ ସାଲ ସହ ତିନି ରଥ ଆଗ, ପଛ ମୁହାଟି ର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଆଜି ତିନିରଥ ର ଚାରିଗୋଟି ଲେଖାଏଁ ଚାରି ନାହାକାର ଦୁଇ ମୁଖ ସାଲ କାର୍ଯ୍ୟ ଶେଷ ହେବା ସହ ତିନିରଥର ପାଞ୍ଚ ଦଣ୍ଡାକୁ ବାନ୍ଧି ରଖିବା ପାଇଁ ନିର୍ମାଣ ଶେଷ ହୋଇଥିବା ୨୦ ଫୁଟିଆ ମୁହାଁଟିରେ ୫ ଟି ଲେଖାଏଁ ବିନ୍ଧ କାର୍ଯ୍ୟ ପୂଜା ଅନୁକୂଳ ପୂର୍ବକ ଶେଷ ହୋଇଛି।

ଏଥିସହ ଆଜି ତିନି ରଥର ୧୨ ଲେଖାଏଁ ଭୂଇଁ ଚଉତା ର ଦୁଇ ମୁଖ ସାଲ କାର୍ଯ୍ୟ ଶେଷ ହୋଇଛି । ଚଉତା କାଠର ବିନ୍ଧ କାର୍ଯ୍ୟ ବାକି ରହିଛି । ତିନି ରଥର ଉକ୍ତ ଭୂଇଁ ଚଉତା ଗୁଡିକରେ ୪ ଟି ଲେଖାଏଁ ପାଖୁଡ଼ା ବିନ୍ଦ ଏବଂ ଖମ୍ବୀ ସଂଯୋଗ ପାଇଁ ଦୁଇଟି ଲେଖାଏଁ ଖମ୍ଭ ବିନ୍ଧ ବାକି ରହିଛି।ଏଥିସହ ତିନି ରଥର ଦୁଇଟି ଲେଖାଏଁ ଢ଼ମକ ର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଆରମ୍ଭ ହେଲା ତିନିରଥର ଜଗତପୃଷ୍ଠ ସେଣୀ ର ଚଉପଟ କାର୍ଯ୍ୟ । ଆଜି ରଥ ଅମୀନ ତିନିରଥ ଚାଳି କୁ ଜଗତପୃଷ୍ଠ ସେଣି ନିର୍ମାଣ ପାଇଁ ୨୦ ଫୁଟିଆ ୩ ଟି ଧଉରା ଏବଂ ୨ ଟି ଲେଖାଏଁ ଅସନ କାଠ ଭୋଇ ସେବକଙ୍କ ମାଧ୍ୟମରେ ଅପରାହ୍ନରେ ଯୋଗାଇ ଦେଇଛନ୍ତି । ତିନିରଥର ମହାରଣା ସେବକ ମାନେ ଜଗତପୃଷ୍ଠ ଶେଣୀ ର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନି ରଥର ବେଦୀ ସିଂହାସନ ନିର୍ମାଣ ପାଇଁ ଏହି ଜଗତ ପୃଷ୍ଠ ଶେଣି ବ୍ୟବହାର ହୋଇଥାଏ।ରୂପକାର ସେବକ ମାନେ ତିନି ରଥର ମୋଟ ୨୪ ଗୋଟି ସାଲ ଗୁଜାରୁ ୧୮ ଗୋଟି ସାଲ ଗୁଜ ରେ ରୂପ ଖୋଦେଇ ଶେଷ କରି ୨୦ ଗୋଟି ତୀଖ ଗୁଜ ରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା ଦୋଳବେଦୀ ଠାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥ ଯାତ୍ରା ନିମନ୍ତେ ଠାକୁରଙ୍କ ପୂଜା ନୀତି ପାଇଁ କୁରୁମ ପିଢ଼ା ଏବଂ ମହାପ୍ରଭୁଙ୍କ ବିଜେ ଡୋରି , ସିରଙ୍ଗ ପଇତା ପ୍ରସ୍ତୁତ ପାଇଁ ପାଟରା ସେବକ ମାନଙ୍କ ପାଇଁ ବାଉଁଶ କାଠି ସରଞ୍ଜାମ ମାନ ନିର୍ମାଣ କାର୍ଯ୍ୟ ପାହି ମହାରଣା ମାନେ ଯୋଗଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି।
