କୋଣାର୍କ: କୋଣାର୍କ ନିକଟସ୍ଥ ରାମଚଣ୍ଡୀ ଥାନା ଅଧିନ ତରକୋର ପଞ୍ଚାୟତର ମଲିଆତୁଠ ଗ୍ରାମରେ ଶନିବାର ପୂର୍ବାହ୍ନରେ ସାବିତ୍ରୀ ଅମାବାସ୍ୟା ଅବସରରେ ଫଙ୍ଖାରେ ନବ ବିବାହିତ ବଧୂ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ମୃତ୍ୟୁ ନବବଧୂର ବାପାଙ୍କ ଅଭିଯୋଗ କ୍ରମେ ପୁରୀ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ଛାନଭିନ୍ ଆରମ୍ଭ କରିଥିଲେ। ରାମଚଣ୍ଡୀ ଥାନା ଅଧିନସ୍ଥ ତରକୋର ପଞ୍ଚାୟତ ମଲିଆତୁଠ ଗ୍ରାମରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧିନ ଶିଖରପଡା ଗ୍ରାମର ଭାଗବତ ବେହେରାଙ୍କ ଝିଅ ପ୍ରିୟଦର୍ଶନୀ ବେହେରା(୨୩) ଗତ ୫ ମାସ ତଳେ ବୈଦିକ ରୀତିରେ ଶଙ୍କର ମାହାରୀଙ୍କ ପୁତ୍ର ବିକ୍ରମ ମାହାରୀ (୨୮) ଙ୍କୁ ବିବାହ କରିଥିଲେ। ଶନିବାର ପବିତ୍ର ସାବିତ୍ରୀ ବ୍ରତରେ କୌଣସି ପାରିବାରିକ ସମାସ୍ୟା ଯୋଗୁଁ ନିଜ ରୁମ ମଧ୍ଯରେ ପ୍ରିୟ ଦର୍ଶନୀ ବେକରେ ଲୁଗା ବାନ୍ଧି ପଙ୍ଖାରେ ଝୁଲିପଡି ଆତ୍ମହତ୍ୟା କରିଥିଲେ ବୋଲି ସୂଚନା ମିଳିଥିଲା। ଏହି ଘଟଣା ଜାଣିବା ପରେ ଶାଶୁଘର ଲୋକେ ରାମଚଣ୍ଡୀ ଥାନାକୁ ଖବର ଦେଇଥିଲେ । ଖବର ପାଇବା ପରେ ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ୱାଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା ବେଳେ ମୃତ ନବବଧୂଙ୍କ ବାପା ଭାଗବତ ବେହେରା ତାଙ୍କ ଝିଅ କୁ ଶାଶୁଘର ଲୋକେ ନିର୍ଯାତନା ଦେଇ ମାରି ଦେଇଥିବା ଶନିବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ରାମଚଣ୍ଡୀ ଥାନା ପୋଲିସ ପକ୍ଷରୁ ସମସ୍ତ ଦିଗରୁ ତଦନ୍ତ କରାଯାଇ କେସ ନଂ ୯୮/୨୦୨୬ ରେ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କାରାଗାରକୁ ପଠାଯାଇଛି ବୋଲି ଥାନା ଅଧିକାରୀ ମମତା ବିଶ୍ୱାଳ ସୂଚନା ଦେଇଛନ୍ତି।
