କୋଣାର୍କ: କୋଣାର୍କ ନିକଟସ୍ଥ ରାମଚଣ୍ଡୀ ଥାନା ଅଧିନ ତରକୋର ପଞ୍ଚାୟତର ମଲିଆତୁଠ ଗ୍ରାମରେ ଶନିବାର ପୂର୍ବାହ୍ନରେ ସାବିତ୍ରୀ ଅମାବାସ୍ୟା ଅବସରରେ ଫଙ୍ଖାରେ ନବ ବିବାହିତ ବଧୂ ଆତ୍ମହତ୍ୟା ଘଟଣାରେ ମୃତ୍ୟୁ ନବ ବଧୂର ବାପାଙ୍କ ଅଭିଯୋଗ କ୍ରମେ ପୁରୀ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ଛାନଭିନ୍ ଆରମ୍ଭ କରିଥିବା ବେଳେ ଏହାର ପ୍ରାମାଣିକ ଫଟୋ ଚିତ୍ର ସଂଗ୍ରହ କରିଥିବା ଜଣାପଡିଛି। ରାମଚଣ୍ଡୀ ଥାନା ଅଧିନସ୍ଥ ତରକୋର ପଞ୍ଚାୟତ ମଲିଆତୁଠ ଗ୍ରାମରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧିନ ଶିଖରପଡା ଗ୍ରାମର ଭାଗବତ ବେହେରାଙ୍କ ଝିଅ ପ୍ରିୟଦର୍ଶନୀ ବେହେରା(୨୩) ଗତ ୫ ମାସ ତଳେ ବୈଦିକ ରୀତିରେ ଶଙ୍କର ମାହାରୀଙ୍କ ପୁତ୍ର ବିକ୍ରମ ମାହାରୀ (୨୫) ଙ୍କୁ ବିବାହ କରିଥିଲେ। ଶନିବାର ପବିତ୍ର ସାବିତ୍ରୀ ବ୍ରତରେ କୌଣସି ପାରିବାରିକ ସମାସ୍ୟା ଯୋଗୁଁ ନିଜ ରୁମ ମଧ୍ଯରେ ପ୍ରିୟ ଦର୍ଶନୀ ବେକରେ ଲୁଗା ବାନ୍ଧି ପଙ୍ଖାରେ ଝୁଲିପଡି ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଜାଣିବା ପରେ ଶାଶୁଘର ଲୋକେ ରାମଚଣ୍ଡୀ ଥାନାକୁ ଖବର ଦେଇଥିଲେ ।ଖବର ପାଇବା ପରେ ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ୱାଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା ବେଳେ ମୃତ ନବବଧୂଙ୍କ ବାପା ଭାଗବତ ବେହେରା ତାଙ୍କ ଝିଅ କୁ ଶାଶୁଘର ଲୋକେ ନିର୍ଯାତନା ଦେଇ ମାରି ଦେଇଥିବା ଶନିବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଗୁରୁତ୍ୱାରୋପ କରି ରାମଚଣ୍ଡୀ ପୋଲିସ ଘଟଣା ସଂପର୍କରେ ପୁରୀ ସାଇଣ୍ଟିଫିକ୍ ଟିମକୁ ଅବଗତ କରାଇଥିଲେ। ଏହି ଘଟଣାରେ ରାମଚଣ୍ଡୀ ପୋଲିସ ମୃତ ନବବଧୂ ପ୍ରିୟ ଦର୍ଶନୀଙ୍କ ସ୍ୱାମୀ ବିକ୍ରମ ମାହାରୀ ଙ୍କୁ ଥାନାରେ ଅଟକ ରଖିଛନ୍ତି। ମୃତ ପ୍ରିୟଦର୍ଶନୀ ଗର୍ଭବତୀ ଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡିଛି। ରବିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ମୁଖ୍ଯାଳୟ ରୁ ଆଦିତ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନ୍ନଭିନ୍ନ କରିଛି । ଏହି ଟିମରେ ଆସିଥିବା ଫଟୋଗ୍ରାଫର ରମେଶ ଚନ୍ଦ୍ର ବାରିକ ମୃତ ଦେହର ବିଭିନ୍ନ ଦିଗରୁ ଫଟୋଗ୍ରାଫି କରି ପ୍ରାମାଣିକ ତଥ୍ୟ ସଂଗ୍ରହ କରିଥିଲେ। ଗୋପ ଅତିରିକ୍ତ ତହସିଲଦାର ହରପ୍ରିୟା ମଲ୍ଲିକଙ୍କ ଉପସ୍ଥିତରେ ରାମଚଣ୍ଡୀ ପୋଲିସ ମୃତ ନବବଧୂର ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି। ଏ ନେଇ ରାମଚଣ୍ଡୀ ଥାନା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ପୋଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ଓ ମୃତ ପ୍ରିୟଦର୍ଶନୀ ଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜୋରଦାର କରାଯାଇ ଘଟଣାର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ୱାଳ ପ୍ରକାଶ କରିଛନ୍ତି।
