ନୀଳଗିର: ସତେକି ନୀଳଗିରି ପାଲଟିଛି କି ଡକାୟତ ଓ ଲୁଟେରାମାନଙ୍କ ଚରା ଭୂୟିଁ? କାହିଁକି ଏମାନଙ୍କୁ ଆୟତ୍ତ କରାଯାଇପାରୁନାହିଁ। ବର୍ଷତମାମ କଉଠି ନା କଉଠି ଚୋରୀ ରାହାଜାନୀ ଡ଼କାୟତି ଭଳି ଘଟଣା ଦେଖିବାକୁ ମିଳୁଛି। ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ଉଠିଛି। ଉଠିବା ସ୍ୱାଭାବିକ। ନୀଳଗିରି ସହରର ୭ନଂ ୱାର୍ଡ ବାଲିଗୋହିରୀ ସାଇରାମ କଲୋନୀରେ ଅବସ୍ଥାନ କରୁଥିବା ପରମାନନ୍ଦ ସାହୁଙ୍କ ବାସଭବନରୁ ଗତ ୧୫ତାରିଖ ରାତିରେ ପଛପଟ ଝରକାଗ୍ରିଲ ଭାଙ୍ଗି ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଏବଂ ନଗଦ ୪୦ହଜାର ଟଙ୍କା ଚୋରିହୋଇଥିବା ନେଇ ପରମାନନ୍ଦଙ୍କ ପୁଅ କାହ୍ନୁଚରଣ ସାହୁ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଶ୍ରୀଯୁକ୍ତ ସାହୁ ହାତ ଅପରେସନ ପାଇଁ ନିଜ ସ୍ତ୍ରୀଙ୍କ ସହିତ କଟକ ଯାଇଥିବା ଏବଂ ପୁଅ କାହ୍ନୁ ସମ୍ବଲପୁର ଯାଇଥିବାର ସୁଯୋଗନେଇ ଡକାୟତମାନେ ଝରକାଗ୍ରିଲ୍ ଭାଙ୍ଗି ଶୋଇବାଘର ଚାବିଭାଙ୍ଗି ସୁନାର ଚିକହାର(୧),ଚେନ୍(୨ଟା), କାନଫୁଲ (୩ହଳ),ମୁଦି(୪ଟା), ମଙ୍ଗଳସୂତ୍ର (୧),ପାଲା(୧), ଲକେଟ୍ (୩ଟା) ସହିତ ରୂପା ପାଉଁଜି, ରୂପା ପଦକ ସମେତ ୪୦ହଜାର ନଗଦ ଲୁଟି ନେଇଥିବା କାହ୍ନୁଚରଣ ଆଜି ନୀଳଗିରି ଥାନାରେ ଅଭିଯୋଗ କରିବାସହିତ ସାଇଣ୍ଟିଫିକ ଟିମ୍ ର ସହାୟତାନେଇ ତଦନ୍ତକରିବାକୁ ଅନୁରୋଧ କରିଛନ୍ତି। ତେବେ କେବେ ନୀଳଗିରି ଅଞ୍ଚଳବାସୀଙ୍କ ଧନଜୀବନ ସୁରକ୍ଷିତ ରହିବ ତାକୁ ସମସ୍ତଙ୍କର ଅପେକ୍ଷା।
