ପୁରୀ: ପ୍ରତିବର୍ଷ ଶାରଦୀୟ ଦୁର୍ଗା ପୂଜାର ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ରର ମାର୍କଣ୍ଡେଶ୍ୱର ପୁଷ୍କରିଣୀ କୂଳରେ ଟିକି ଟିକି ପିଲାଙ୍କ କଣ୍ଠରୁ ଶୁଣିବାକୁ ମିଳେ ଉକ୍ତ ଲୋକ ଗୀତ । ଆଶ୍ୱିନ ଶୁକ୍ଳ ପଞ୍ଚମୀ ଦିନଟିକୁ ନେତ ପଞ୍ଚମୀ ମଧ୍ୟ କୁହାଯାଇଥାଏ। ତେବେ ଏହି ନେତ ପରମ୍ପରା ଦେଖିବାକୁ ମିଳିଥାଏ ମହାପ୍ରଭୁଙ୍କ ସେବାୟତ ଘରର ଛୋଟ ଛୋଟ ଝିଅଙ୍କ ମଧ୍ୟରେ ।ଝିଅଟି ଅଢେଇ ବର୍ଷ କି ପାଞ୍ଚ,ସାତ,ନଅ ବର୍ଷ ବୟସ ହେଲେ ନେତ ପିଲା ହୋଇପାରିଥାଏ। ଭାଦ୍ରବ ପୂର୍ଣ୍ଣିମାରୁ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିଥାନ୍ତି ଏହି ଝିଅ ମାନେ। ଏହି ୨୧ ଦିନ ମଧ୍ୟରେ ପ୍ରତିଦିନ ସନ୍ଧ୍ୟା ରେ ଘରର ତୁଳସୀ ଚଉରା ମୂଳେ ବଳିପୂଜା କରିଥାନ୍ତି ଏହି କୁନି କୁନି ଝିଅ ମାନେ। ଏହି ସମୟରେ ଗୋଟିଏ ଗୁଆ ଓ ୭ ଟି କଉଡ଼ିକୁ ଫରୁଆରେ ରଖି ଶିବ ରୂପେ ପୂଜା କରିଥାନ୍ତି। ପ୍ରତିଦିନ ମୁଣ୍ଡିଆ ମାରି ଦୁଇ ଆଞ୍ଜୁଳି ଫୁଲ ଧରି ପୁଷ୍ପାଞ୍ଜଳି ଦିଅନ୍ତି ।ଆଶ୍ୱିନ ଶୁକ୍ଳ ପଞ୍ଚମୀ ରୁ ଅଷ୍ଟମୀ ପର୍ଯ୍ୟନ୍ତ ଏହି କୁନି କୁନି ଝିଅ ନେତ ହୋଇଥାନ୍ତି । ପାରମ୍ପରିକ ବେଶରେ ସଜ୍ଜିତ ହୁଅନ୍ତି । ପାଟ ଲୁଗା କୁ କଛା ମାରି ପିନ୍ଧନ୍ତି ଓ ବିଭନ୍ନ ପାରମ୍ପରିକ ଅଳଙ୍କାର ପରିଧାନ କରିଥାନ୍ତି। ହାତରେ ଏକ ରୂପାର କରାଟ ରେ ହଳଦୀଗୁଣ୍ଡ, କଉଡ଼ି, ବଳି ପୂଜା ନିମନ୍ତେ ଗୁଆ ରଖିଥାନ୍ତି ଏବଂ ଆଉ ଏକ ଟୋକେଇ ରେ ଜହ୍ନି, କମଳା, କାକୁଡ଼ି, ନଡ଼ିଆ, ପଇତା, ହଳଦୀ ଆଦି ନେଇ ଘରର ମୁରବି ଶ୍ରେଣୀ ବ୍ୟକ୍ତି ଯଥା ଆଈ କିମ୍ବା ପିଉସୀ ଙ୍କ ସହ ମାର୍କଣ୍ଡେଶ୍ୱର ପୁଷ୍କରିଣୀ ନିକଟକୁ ଯାଇଥାଆନ୍ତି। ସେଠାରେ ବାଲୁକା ନିର୍ମିତ ଶିବଲିଙ୍ଗ କରି ହରଗୌରୀଙ୍କୁ ଉପସନା କରିଥାନ୍ତି ।ଏହାକୁ ଶ୍ରୀକ୍ଷେତ୍ରରେ ନେତ ପିଲା ଉତ୍ସବ ବୋଲି କୁହାଯାଏ ।
ବଳି ରେ ବଳି ନ କର କଳି, କାଲି ଆଣିଦେବି ସରୁ ଚକୁଳି। ସରୁଚକୁଳି ଯେ ଉପରେ ଘିଅ, ଧୂପ କଟି ଗଲେ ରଜା ଙ୍କ ବୋହୁ। ରଜାଙ୍କ ବୋହୁ ଯେ ବଡ଼ ବିନ୍ଧାଣୀ, ଟେକି ଧରିଥିଲେ ସପତ ଫେଣି। ଆଇନ କଲେ କି ବଇନ କଲେ, ମୁଣ୍ଡ ପୋତି କରି ସ୍ନାହାନ କଲେ ।
