ପୁରୀ: ଜ୍ଯେଷ୍ଠ ମାସ ଅମାବାସ୍ୟା ଶନିବାର ପବିତ୍ର ସାବିତ୍ରୀ ବ୍ରତ ନିଷ୍ଠା,ଶ୍ରଦ୍ଧା ଓ ଭକ୍ତିର ସହ ସଧବା ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଭୋରରୁ ସ୍ନାନ କରିବା ସହ ଶୁଦ୍ଧପୂତ ଭାବେ ବିଭିନ୍ନ ଶୈବପୀଠ ଓ ଅନ୍ଯାନ୍ଯ ଦେବାଳୟରେ ମହିଳା ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ରଙ୍ଗ ବେରଙ୍ଗର ନୂଆ ଶାଢୀ, ଶଙ୍ଖା,ଚୁଡି, ସିନ୍ଦୁର, ବ୍ରତ, ପାଚିଲା ଆମ୍ବ, କଦଳୀ, ସେଉ, ଅଙ୍ଗୁର, ନଡିଆ, ଲିଚୁ, କମଳା, ପିଜୁଳି,ସେପଟା, ଡାଳିମ୍ବ ,ସପୁରୀ,ତାଳସଜ କାକୁଡି, ପାଚିଲା ପଣସ, ଜାମୁ, ଖଜୁରୀ କୋଳି, ବଢିଆଳ ଆଦି ଫଳମୂଳ ସହ ଭୋଗ ଡାଲାରେ ରଖି ମନ୍ଦିର ପୂଜକଙ୍କ ଦ୍ୱାରା ସାବିତ୍ରୀ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଦିନ ତମାମ ଉପବାସ ରହି ବିବାହିତ ମହିଳା ମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପରିଧାନ କରି ଓଷା ପାଳନ କରିଛନ୍ତି । ବିବାହିତ ମହିଳାଙ୍କ ଶ୍ରେଷ୍ଠ ବ୍ରତ ହେଉଛି ସାବିତ୍ରୀ ।

ଘର ମାନଙ୍କରେ ଏକତ୍ରିତ ହୋଇ ମହିଳା ମାନେ ସାବିତ୍ରୀ ପୂଜା ମଧ୍ଯ କରିଥିଲେ । ଗୋଟିଏ ଶିଳ ଓ ଶିଳପୁଆ କୁ ପାଣିରେ ଧୁଆଧୋଇ କରି ନୂତନ ଲୁଗା ଓ ଅଳଙ୍କାର ଦ୍ୱାରା ସଜ୍ଜିତ କରି ଫୁଲହାର ଦେଇ ସାବିତ୍ରୀ ଦେବୀଙ୍କୁ ସ୍ଥାପନା କରିଥାନ୍ତି । ଧୂପଦୀପ ପୁଷ୍ପ ଅର୍ପଣ ସହ ନାନା ଜାତିର ଫଳମୂଳ ଓ ଧୂଆମୁଗ, ପାଚିଲା ପଣସ ଭୋଗ କରି ସାବିତ୍ରୀ ବ୍ରତ ପଠନ କରିଥିଲେ । ପୁରାଣ ମତ ଅନୁସାରେ ଶାଲ ଦେଶର ରାଜା ଦ୍ୱିମତ ସେନଙ୍କ ପୁତ୍ର ଥିଲେ ସତ୍ୟବାନ । ତାଙ୍କ ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା,ପବିତ୍ରତା ଧର୍ମ,ବୁଦ୍ଧି ଓ ସତୀତ୍ୱ ଆଗରେ ଦିନେ ହାର ମାନିଥିଲେ ମୃତ୍ଯୁର ଦେବତା ଜମରାଜ । ପତ୍ନୀ ସାବିତ୍ରୀଙ୍କ ପାଇଁ ସ୍ୱାମୀ ସତ୍ୟବାନ ପୁର୍ନଜୀବନ ଫେରି ପାଇଥିଲେ ବୋଲି କଥିତ ଅଛି । ଏଣୁ ପ୍ରତି ଜ୍ଯେଷ୍ଠ ମାସ ଅମାବାସ୍ୟା ଦିନ ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ବିବାହିତ ମହିଳା ମାନେ ପୂଜା ସାରି ମଥାରେ ସିନ୍ଦୁର, ହାତରେ ନୂଆ ଶଙ୍ଖା, ଚୁଡି ଏବଂ ରଙ୍ଗ ବେରଙ୍ଗର ଶାଢି ପରିଧାନ କରି ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ତାଙ୍କ ଆଶୀର୍ବାଦ ନେଇଥାନ୍ତି । ବିବାହିତ ହିନ୍ଦୁ ନାରୀଙ୍କ ପାଇଁ ଏହା ଏକ ବଡପର୍ବ । ସତ୍ୟବାନଙ୍କ ପାଇଁ ବ୍ରତ ପାଳିଛନ୍ତି ସାବିତ୍ରୀ ।
