କଟକ: କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ଉ କରାଯାଇ ବେଆଇନ ଭାବେ ଗଚ୍ଛିତ ବିପୁଳ ପରିମାଣର ଔଷଧ ଜବତ କରାଯାଇଛି। କଟକ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍ ଓ ନିଆଳି ଥାନା ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଶ୍ରୀ ତୁଷାର ରଞ୍ଜନ ପାଣିଗ୍ରାହୀ, ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀ ବିନାୟକ ଦଳବେହେରା ଓ ଶ୍ରୀ ଅମିତ ମାଇତିଙ୍କ ସମେତ ନିଆଳି ଥାନାର ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ଜବତ ହୋଇଥିବା ଔଷଧଗୁଡ଼ିକର ଉତ୍ସ, ସଂରକ୍ଷଣ ଓ ଆଇନଗତ ବୈଧତା ସମ୍ପର୍କରେ ଆବଶ୍ୟକ ଯାଞ୍ଚ ଓ ତଦନ୍ତ କରାଯିବ। ଏହି ଘଟଣାରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନର ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ ସହ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।
