ପୁରୀ: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଏଥର ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ପୁରୀ ମହାନଗର ନିଗମର ୩ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ଜମୁଛି ପ୍ରଚାର । ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ସଭାପତି ପଦପାଇଁ ହୃଷିକେଶ ପଣ୍ଡା,ଓମ ଅବିଶିଖା ଦାସ ,ରାଜେନ୍ଦ୍ର ନାୟକ, ସୂର୍ଯ୍୍ୟନାରାୟଣ ତ୍ରିପାଠୀ ଓ ସ୍ୱୟମ ମହାପାତ୍ରଙ୍କ ମଧ୍ୟରେ ପ୍ରମୁଖୀ ଲଢ଼େଇ ଜୋରଦାର ହେଉଥିବା ବେଳେ ଉପସଭାପତି ପଦପାଇଁ ଆକାଶ ପ୍ରସାଦ ଦାସ, ଦିବ୍ୟଶ୍ରୀ ସାହୁ,ଯାଜ୍ଞସେନୀ ମିଶ୍ର ଓ ସୌମ୍ୟା ସୁଚରିତା ପ୍ରତିଦ୍ୱନ୍ଦିତା ମଇଦାନରେ ଜୋରଦାର ପ୍ରଚାର କରୁଛନ୍ତି ।ସାଧାରଣ ସମ୍ପାଦକ ପାଇଁ ଆଦିତ୍ଯ ପଲେଇ, ସଞ୍ଜନା ବେହେରା, ଶାଶ୍ୱତ ଦଳାଇ ଓ ସ୍ମୃତିମୟୀ ସାହୁଙ୍କ ପ୍ରଚାର ମଧ୍ୟ ଦେଖିବାକୁ ମିଳୁଛି । ନାଟ୍ୟ ସମାଜ ସମ୍ପାଦକ ପାଇଁ ୩ଜଣ,ସହ ସାଧାରଣ ସମ୍ପାଦକ ଓ ଆଥେଲେଟିକ ଆସୋସିଏସନ ସମ୍ପାଦକ ପାଇଁ ୨ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । କଳା ସମାଜ ସମ୍ପାଦକ ପଦପାଇଁ ମିଲି ବେହେରା, ରାକେଶ ରଞ୍ଜନ ଦୀକ୍ଷିତ ଓ ସୁମନ ରାଉଳ ଜୋରଦାର ପ୍ରଚାର କରୁଥିବା ବେଳେ ବାଣିଜ୍ୟସମାଜ ସମ୍ପାଦକ ପଦପାଇଁ ଅର୍ପିତା ମହାପାତ୍ର ଓ ମନଦୀପ ସାହୁ ପ୍ରଚାର ମଇଦାନରେ ଅବତୀର୍ଣ୍ଣ ରହିଛନ୍ତି । ନାଟ୍ୟସହ ସମ୍ପାଦକ ଆକାଶ କୁମାର କାଣ୍ଡି, କ୍ରୀଡା ସହ ସମ୍ପାଦକ ସୌମ୍ୟ ରଞ୍ଜନ ମହାପାତ୍ର, କମନରୁମ ସମ୍ପାଦକ ରାହୁଳ ପ୍ରଧାନ, ବିଇଡି କ୍ଲାସ ରିପ୍ରେଜେଣ୍ଟେଟିଭ ଅଙ୍କିତା ମହାରଣା ଓ ସାଇନ୍ସ ସୋସାଇଟି ସମ୍ପାଦିକା ଶ୍ରେୟା ସୁଆର ଏକକ ନାମାଙ୍କନ ପ୍ରାର୍ଥୀ ଭାବେ ବିଜୟ ହୋଇଥିବାରୁ ପ୍ରାର୍ଥୀ ଓ ସଂଗଠନ କର୍ମକର୍ତ୍ତା ମାନେ ଆନନ୍ଦ ଉଲ୍ଲାସର ସହ ଶକ୍ତି ପ୍ରଦର୍ଶନ କରିଛନ୍ତି । ୧୫ ତାରିଖରେ ଭୋଟ । କଲେଜ କ୍ୟାମ୍ପସରେ ପଡିବ ଭୋଟ ।ପ୍ରାର୍ଥୀମାନେ ଛାତ୍ରଛାତ୍ରୀ ମାନଙ୍କୁ ଗୁପଚୁପ, ଆଇସକ୍ରିମ, ଚକୋଲେଟ ଦେଉଥିବା ବେଳେ ରଙ୍ଗବେରଙ୍ଗ ପୁଂସି କାର୍ଡ ବଣ୍ଟନ ଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । କ୍ୟାମ୍ପସରେ କାହାର କେତେ ପରିଚୟ। କାହାର କେତେ ଛାତ୍ରଛାତ୍ରୀଙ୍କ ସମ୍ପର୍କ ରହିଛି । କେଉଁ ପ୍ରାର୍ଥୀ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ଉପସ୍ଥାପନ କରି ପାରୁଛନ୍ତି ତାହାକୁ ନେଇ ଆଲୋଚନା ଜୋର ଧରିଛି । ପ୍ରାର୍ଥୀ ମାନେ ସହପାଠୀ, ବନ୍ଧୁ ଓ ପରିଚିତ ଛାତ୍ରଛାତ୍ରୀଙ୍କ ସହ ମିଶି ସମର୍ଥନ ଲୋଡୁଛନ୍ତି । କେଉଁ ବିଭାଗରେ କେଉଁ ସମସ୍ୟା ରହିଛି, ଶ୍ରେଣୀ ଗୃହରେ କଣ ଅସୁବିଧା ହେଉଛି ।ପାଠାଗାର, ପାନୀୟଜଳ, ଶୌଚାଳୟ ଓ କ୍ୟମ୍ପସର ଅନାନ୍ୟ ସମସ୍ୟାକୁ ମଧ୍ୟପ୍ରାର୍ଥୀ ମାନେ ଛାତ୍ରଛାତ୍ରୀଙ୍କୁ କହି ଭୋଟ ପାଇଁ ବୁଝାଉଥିବା ଦେଖିବାକୁ ମିଳିଛି ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି ।
