ଚେନ୍ନାଇ: “ଜେଲର୍ ୨’ ହିନ୍ଦୀ ଭାଷାରେ ମୁକ୍ତିଲାଭ ନକରିପାରେ ବୋଲି ଚାଲିଥିବା ଚର୍ଚ୍ଚା ମଧ୍ୟରେ, ନିର୍ମାତାମାନେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ସେମାନେ ନିଶ୍ଚିତ କରିଛନ୍ତି ଯେ ପୂର୍ବ ଯୋଜନା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ଚଳିତ ଅକ୍ଟୋବର ୧୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଭାଷାର ସଂସ୍କରଣ ସହିତ ଏହାର ହିନ୍ଦୀ ସଂସ୍କରଣ ମଧ୍ୟ ମୁକ୍ତିଲାଭ କରିବ ଏବଂ ଉତ୍ତର ଭାରତରେ ଏହାର ବିତରଣ ଦାୟିତ୍ୱ “ପେନ୍ ମାରୁଧର ଏଣ୍ଟରଟେନମେଣ୍ଟ’ ବହନ କରିବ। ଅଫିସିଆଲ୍ ପିଆର୍ ପ୍ରତିନିଧିଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି, ‘ଜେଲର୍ ୨” ହିନ୍ଦୀରେ ମୁକ୍ତିଲାଭ କରିବ ନାହିଁ ବୋଲି ନିକଟରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦୃଷ୍ଟିରେ ରଖି ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ପୂର୍ବ ଯୋଜନା ଅନୁଯାୟୀ ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ଅନ୍ୟ ଭାଷାର ସଂସ୍କରଣ ସହିତ ଆସନ୍ତା ୧୫ ତାରିଖ ଗୁରୁବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଉତ୍ତର ଭାରତରେ ‘ପେନ୍ ମାରୁଧର ଏଣ୍ଟରଟେନମେଣ୍ଟ” ଦ୍ୱାରା ଏହି ଚଳଚ୍ଚିତ୍ରର ବିତରଣ କରାଯିବ। ହିନ୍ଦୀ ସଂସ୍କରଣର ମୁକ୍ତିଲାଭ ତାରିଖରେ କୌଣସି ପରିବର୍ତ୍ତନ କରାଯାଇନାହିଁ।’ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି, “ଆମେ ସମସ୍ତ ଗଣମାଧ୍ୟମ ସଂସ୍ଥା ଓ ପ୍ଲାଟଫର୍ମକୁ ଅନୁରୋଧ କରୁଛୁ ଯେ ସେମାନେ ଏହି ସ୍ପଷ୍ଟୀକରଣକୁ ଧ୍ୟାନକୁ ନିଅନ୍ତୁ ଏବଂ ଚଳଚ୍ଚିତ୍ରର ମୁକ୍ତିଲାଭ ସମ୍ବନ୍ଧୀୟ କୌଣସି ଅପ୍ରମାଣିତ ତଥ୍ୟ ପ୍ରଚାର କରିବାରୁ ନିବୃତ୍ତ ରୁହନ୍ତୁ। ଆମେ ଗଣମାଧ୍ୟମର ନିରନ୍ତର ସମର୍ଥନ ଓ ସହଯୋଗକୁ ପ୍ରଶଂସା କରୁଛୁ।’ ନିର୍ଦ୍ଦେଶକ ନେଲସନ୍ ଦିଲୀପକୁମାର ଏବଂ ମୁଖ୍ୟ ଅଭିନେତା ରଜନୀକାନ୍ତଙ୍କ ଯୋଗୁଁ ଏହି ଆକ୍ସନ୍-ଥ୍ରିଲର୍ ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ ଅକ୍ଟୋବର ୧୬ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଅନ୍ୟ କିଛି ଚଳଚ୍ଚିତ୍ର ତୁଳନାରେ “ଜେଲର୍ ୨’ ଭାରତରେ ଗୋଟିଏ ଦିନ ପୂର୍ବରୁ ପ୍ରେକ୍ଷାଳୟକୁ ଆସିବ ବୋଲି ଆଶା କରାଯାଉଛି। ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ତେଲୁଗୁ ଆକ୍ସନ୍ ଫିଲ୍ମ “ରଣବାଲି’ ଏବଂ କୋର୍ଟରୁମ୍ ଥ୍ରୀଲର୍ “ପ୍ରହାର: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଉଜ୍ଜ୍ୱଳ ନିକମ୍’; ଯେଉଁଥିରେ ଯଥାକ୍ରମେ ବିଜୟ ଦେବରକୋଣ୍ଡା, ରଶ୍ମିକା ମନ୍ଦନ୍ନା, ରାଜକୁମାର ରାଓ ଏବଂ ୱାମିକା ଗାବ୍ୱି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଶେଷରେ, ସେହି ଦିନ ହିଁ ୟାମି ଗୌତମଙ୍କ “ନୟୀ ନବେଲି’ ମଧ୍ୟ ମୁକ୍ତିଲାଭ କରିବ। କଲାନିଧି ମାରନ୍ଙ୍କ “ସନ୍ ପିକ୍ଚର୍ସ’ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ସହ ଏସ୍. ଜେ. ସୂର୍ଯ୍ୟା, ମିଥୁନ୍ ଚକ୍ରବର୍ତ୍ତୀ, ରମ୍ୟା କ୍ରିଷ୍ଣନ୍, ବିଦ୍ୟା ବାଲନ୍, ଯୋଗୀ ବାବୁ ଏବଂ ଜତିନ୍ ସର୍ଣ୍ଣା ଅଭିନୟ କରୁଛନ୍ତି। ଏହା ବ୍ୟତୀତ ମାଲାୟାଲମ୍ ସୁପରଷ୍ଟାର ମୋହନଲାଲ୍, ତାମିଲ୍ ଅଭିନେତା ବିଜୟ ସେତୁପତି ଏବଂ ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଓ ଜ୍ୟାକି ଶ୍ରଫ୍ ମଧ୍ୟ ଏଥିରେ ସ୍ୱଳ୍ପ ସମୟ ପାଇଁ ନଜର ଆସିପାରନ୍ତି ବୋଲି ଆଶା କରାଯାଉଛି। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ସ୍ଥିର କରାଯାଇଛି।
