ବାରିପଦା; ସାମ୍ବାଦିକମାନଙ୍କ ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଆଜି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ଟି ବ୍ଲକରୁ ଶହ ଶହ ସାମ୍ବାଦିକ ଯୋଗଦେଇ ପ୍ରଶାସନ ବିରୋଧରେ ବିଷୋଦାଗାର ବଖାଣିଛନ୍ତି । ମହାମଞ୍ଚରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ), ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଏବଂ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଭଳି ପ୍ରମୁଖ ସାମ୍ବାଦିକ ସଂଗଠନର ସାମ୍ବାଦିକ ମାନେ ସାମିଲ ହୋଇ ସାମ୍ବାଦିକଙ୍କ ପ୍ରତି ଅବହେଳା ସମ୍ପର୍କରେ ଚିନ୍ତା ପ୍ରକଟ କରିବା ସହିତ ଆଗାମୀ ଦିନରେ ସାମ୍ବାଦିକ ମାନେ ଦୃଢ ଜବାବ ଦେବେ ବୋଲି କହିଛନ୍ତି । ସାମ୍ବାଦିକମାନଙ୍କ ମର୍ଯ୍ୟାଦା, ସୁରକ୍ଷା ଏବଂ ସାମୂହିକ ସ୍ୱାର୍ଥରକ୍ଷା ଦିଗରେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାକୁ ସମସ୍ତେ ସର୍ବ ସମ୍ମତି ନିଷ୍ପତ୍ତି ନେଇଛନ୍ତି । ଓଡିଶା ସାମ୍ବାଦିକ ସଙ୍ଘର ରାଜ୍ୟ ଉପସଭାପତି ଦୀପକ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଧାରଣାରେ ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଅରୁଣ କୁମାର ଓତା, ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ, ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୂ)ର ଜିଲ୍ଲା ସଭାପତି ଅଭିଜିତ ମହାନ୍ତି, ମୟୁରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ର ଦୋଳ ଗୋବିନ୍ଦ ବାରିକ, ରାଜ୍ୟ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା ପ୍ରୟାଗ ରାଜକର, ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଶିବାଦିତ୍ୟ ପଣ୍ଡା, ସାମ୍ବାଦିକ ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ, ନିହାର ରଞ୍ଜନ ବେହେରା, ସନ୍ତୋଷ କୁମାର ବାଛିନି, ମଳୟ କୁମାର ନାୟକ, ପ୍ରଫୁଲ୍ଲ କୁମାର ଦଳେଇ, କ୍ଷୀରୋଦ ଚନ୍ଦ୍ର ଦାସ, ଅକ୍ଷୟ କୁମାର ବିଶ୍ୱାଳ ପ୍ରମୁଖ ନିଜନିଜ ବକ୍ତବ୍ୟ ରେ ଆଜିର ଦିନରେ ସାରା ଭାରତ ବର୍ଷରେ ସାମ୍ବାଦିକ ମାନଙ୍କର ମର୍ଯ୍ୟାଦା, କଲ୍ୟାଣ ଏବଂ ସୁରକ୍ଷା କ୍ଷ୍ୟୁର୍ଣ୍ଣ ହୋଇଥିବା ବେଳେ, ମୟୁରଭଞ୍ଜ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ପ୍ରତି ପ୍ରଶାସନିକ ଅଣଦେଖା ସହ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ସାମ୍ବାଦିକ ମାନେ ସମ୍ମିଳିତ ଭାବରେ ବ୍ୟବସ୍ଥା ବିରୋଧରେ ଲଢ଼ି ନିଜର ନ୍ୟାର୍ଯ୍ୟ ଅଧିକାର ହାସଲ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ସଂଗଠନଗତ ମତଭେଦରୁ ଊର୍ଦ୍ଧ୍ୱରେ ରହି ଜିଲ୍ଲାର ସମସ୍ତ ସାମ୍ବାଦିକ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ମହାମଞ୍ଚ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆଗକୁ ମହାମଞ୍ଚ ସାମ୍ବାଦିକଙ୍କ ଏକତା ଓ ଅଧିକାର ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ତେବେ ଆଜିର ଏହି ସାମ୍ବାଦିକ ମିଳିତ ମଞ୍ଚ ଧାରଣାକୁ ସ୍ୱେଛାକୃତ ଭାବରେ ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ପକ୍ଷରୁ ନିସର୍ତ୍ତ ସମର୍ଥନ ଘୋଷଣା କରିଥିବାର ଦେଖିବାକୁ ମିଳିଥିଲା । ଧାରଣା ଶେଷରେ ଜିଲ୍ଲା ରେ ସାମ୍ବାଦିକ ମାନଙ୍କର ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ପାଳ ଈଶ୍ୱର ଚନ୍ଦ୍ର ନାୟକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
