ବାରିପଦା; ରାଇରଙ୍ଗପୁର ପୋଲିସ ଜିଲ୍ଲା ଏସପି ସୁରେଶ ଚନ୍ଦ୍ର ପାତ୍ର ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅପରାଧିକ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିବା ନେଇ ସୂଚନା ପ୍ରଦାନ କରିଥିଲେ । ଆଗାମୀ ପାର୍ବଣ ଋତୁକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ତଥା ଅପରାଧୀ ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବାଲେଶ୍ୱର ଡିଆଇଜି ଏବଂ ରାଇରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବହଳଦା ଥାନା ଅଧିକାରୀ ଇନ୍ସପେକ୍ଟର ଭାସ୍କର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ଏକ ଯୋଜନାବଦ୍ଧ ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏକାଧିକ ସଙ୍ଗିନ ମାମଲାରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ରହିଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ ଗତ ୧୦ ତାରିଖ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ବହଳଦା ଓ ଗମ୍ଭାରିଆ ଅଞ୍ଚଳରେ ଡକାୟତି କରିବା ଉଦ୍ଦେଶ୍ୟରେ ଗମ୍ଭାରିଆ ରାବଣ ପୋଡ଼ି ପଡ଼ିଆ ନିକଟ ଏକ ନିଛାଟିଆ ସ୍ଥାନରେ କିଛି ଦୁର୍ବୃତ୍ତ ଏକତ୍ରିତ ହୋଇ ପ୍ରସ୍ତୁତି ଚଳାଇଥିବା ଖବର ପୋଲିସ ପାଖରେ ପହଞ୍ଚିଥିଲା। ତୁରନ୍ତ ପୋଲିସ ପାଟ୍ରୋଲିଂ ଟିମ ଚଢ଼ାଉ କରି ଘଟଣାସ୍ଥଳରୁ ୭ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେହିପରି ଅନ୍ୟ ଏକ ଚଢ଼ାଉରେ, ବହଳଦା ଥାନାର ପୂର୍ବ କେସ ନଂ ୧୭୪/୨୦୨୬ ରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ବେଆଇନ ମାରଣାସ୍ତ୍ର ଧରି ଗମ୍ଭାରିଆ ଅଞ୍ଚଳରେ ତା’ର ସହଯୋଗୀମାନଙ୍କୁ ଅପେକ୍ଷା କରୁଥିବା ବେଳେ ଏସଆଇ ଅନନ୍ତ ଦାସଙ୍କ ଟିମ ତାକୁ କାବୁ କରିବା ସହ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଥିଲା। ଜବତ ଅସ୍ତ୍ରଶସ୍ତ୍ର ଗୁଡିକ ମଧ୍ୟରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ୮ ଏମଏମ ଜୀବନ୍ତ ଗୁଳି, ୨ଟି ଲୁହା ଖଣ୍ଡା ଓ ୩ଟି ଲୁହା ରଡ ରହିଥିବା ବେଳେ ଗୋଟିଏ ଧଳା ରଙ୍ଗର ମାରୁତି ସୁଜୁକି ଏର୍ଟିଗା କାର ନଂ- ଙଊ ୧୧ ଇଇ ୪୦୧୭, ୭ଟି ମୋବାଇଲ ଫୋନ, ୨ ପ୍ୟାକେଟ ଲଙ୍କା ଗୁଣ୍ଡ, ଗ୍ୟାସ ଲାଇଟର, ସିଗାରେଟ ଏବଂ ନଗଦ ୬,୫୦୦ ଟଙ୍କା ମଧ୍ୟ ଜବଦ କରାଯାଇଛି. ଗିରଫ ଅଭିଯୁକ୍ତ ମାନେ ଲୋକୁ ଓରଫ ସେକ ରାଜାଉଦ୍ଦିନ (୨୩),ଜଗା ଓରଫ ଜଗତଜିତ ମହାନ୍ତ (୨୪), ଘାଗର ଓରଫ ସେକ ସଫରୁଦ୍ଦିନ (୨୪), ରାଜା ବେହେରା (୧୯), ଜୟୀ ସିଟ (୨୫), ସେକ ଅଜମଲ ଓରଫ ଅଜମତ (୩୨), ସେକ ୱାହିଦ (୨୬), ମହମ୍ମଦ ଅରବାଜ ସାଇ (୨୧) ଅନ୍ୟ ଜଣେ ଅପରାଧୀ ମଧ୍ୟ ଗିରଫ ହୋଇଛନ୍ତି ବୋଲି ଜଣାଯାଇଛି । ପୋଲିସ ଏବାବଦରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଞ୍ଚଳରେ ଏକ ବଡ଼ ଧରଣର ଅପରାଧ ଟଳିଯାଇଥିବାରୁ ସାଧାରଣରେ ପୋଲିସକୁ ପ୍ରଶଂସା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର ସେନାପତି, ରାଇରଙ୍ଗପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠି, ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନ, ଜାମଦା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଏବଂ ବିଭିନ୍ନ ଥାନାର ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
