ଷ୍ଟକ୍ହୋମ: ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍ ଅନୁଯାୟୀ, ଆମେରିକା ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ପ୍ରଫେସର ରବର୍ଟ ଇ. ହଲ୍ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟର “ଜନ୍ ବେଟ୍ସ କ୍ଲାର୍କ ପ୍ରଫେସର ଅଫ୍ ପଲିଟିକାଲ୍ ଇକୋନୋମି’ ମାଇକେଲ୍ ୱୁଡଫୋର୍ଡଙ୍କୁ “ମାକ୍ରୋ-ଇକୋନୋମିକ୍ ଷ୍ଟାବିଲାଇଜେସନ୍’ (ସମଷ୍ଟିଗତ ଅର୍ଥନୈତିକ ସ୍ଥିରତା)ର “ମାଇକ୍ରୋ-ଇକୋନୋମିକ୍’ (ବ୍ୟଷ୍ଟିଗତ ଅର୍ଥନୈତିକ) ଭିତ୍ତିଭୂମି ଉପରେ ସେମାନଙ୍କ କାର୍ଯ୍ୟ ପାଇଁ ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଅର୍ଥନୈତିକ ବିଜ୍ଞାନ କ୍ଷେତ୍ରରେ ୨୦୨୬ ମସିହାର ସ୍ୱେରିଜେସ୍ ରିକ୍ସବ୍ୟାଙ୍କ ପୁରସ୍କାର (ଯାହା ସାଧାରଣତଃ ଅର୍ଥଶାସ୍ତ୍ରରେ ନୋବେଲ୍ ପୁରସ୍କାର ଭାବରେ ଜଣାଶୁଣା) ପ୍ରଦାନ କରାଯାଇଛି। ଚଳିତ ବର୍ଷ ପ୍ରଦାନ କରାଯିବାକୁ ଥିବା ଶେଷ ପୁରସ୍କାର ପାଇଁ ବିଜେତାମାନଙ୍କ ନାମ ସୋମବାର ଦିନ ଘୋଷଣା କରାଯାଇଥିଲା। ଅର୍ଥଶାସ୍ତ୍ର ପୁରସ୍କାର କମିଟିର ଅଧ୍ୟକ୍ଷ ଜନ୍ ହାସଲର୍ ଏକ ବିବୃତ୍ତିରେ କହିଛନ୍ତି, “ବିଜେତାମାନଙ୍କ କାର୍ଯ୍ୟ ଆମକୁ ସେହି ମଡେଲ୍ଗୁଡ଼ିକ ପାଇଁ ଏକ ସ୍ଥିର ତତ୍ତ୍ୱଗତ ଭିତ୍ତିଭୂମି ଯୋଗାଇଛି ଯାହା ବର୍ତ୍ତମାନ ସମଗ୍ର ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାରମାନଙ୍କ ଦ୍ୱାରା ବ୍ୟବହୃତ ହେଉଛି।’ “ଏହା ସହିତ, ଆମେ ଅର୍ଥନୀତିରେ ଦେଖାଦେଉଥିବା ଆକସ୍ମିକ ସଙ୍କଟ- ଯେପରିକି ଶକ୍ତି ସଙ୍କଟ କିମ୍ବା ପରିବାରଗୁଡ଼ିକର ଉପଭୋଗ ସ୍ତରରେ ହଠାତ୍ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଅଧିକ ସକ୍ଷମ ହୋଇପାରିଛୁ।’ ୧୯୭୦ ଦଶକର ତୈଳ ସଙ୍କଟ ସମୟରେ, ମାନ୍ଦାବସ୍ଥା କିମ୍ବା ଅନ୍ୟାନ୍ୟ ଅର୍ଥନୈତିକ ଉତ୍ଥାନ-ପତନର ମୁକାବିଲା ପାଇଁ କେବେ ଏବଂ କିପରି ପଦକ୍ଷେପ ନିଆଯିବା ଉଚିତ୍ ତାହା ନିର୍ଦ୍ଧାରଣ କରିବା ପାଇଁ ବ୍ୟବହୃତ ହେଉଥିବା ପୁରୁଣା କେନେସିଆନ୍ ମଡେଲ୍ଗୁଡ଼ିକ କାମ କରିବା ବନ୍ଦ କରିଦେଇଥିଲା। ଏପର୍ଯ୍ୟନ୍ତ ମାତ୍ର ତିନିଜଣ ମହିଳା ଏହି ପୁରସ୍କାର ଜିତିଛନ୍ତି; ସର୍ବଶେଷରେ ୨୦୨୩ ମସିହାରେ କ୍ଲାଉଡିଆ ଗୋଲ୍ଡିନ୍ଙ୍କୁ ଆମେରିକାରେ ସମୟକ୍ରମେ ଲିଙ୍ଗଗତ ଭେଦଭାବ କିପରି ଦରମା ଓ ନିଯୁକ୍ତିକୁ ପ୍ରଭାବିତ କରିଛି, ସେ ସମ୍ବନ୍ଧୀୟ ଗବେଷଣା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଗତ ବର୍ଷର ବିଜେତା – ଜୋଏଲ୍ ମୋକି,ର୍ ଫିଲିପ୍ ଆଘିଅନ୍ ଏବଂ ପିଟର ହାୱିଟ୍ – “ସୃଜନଶୀଳ ଧ୍ୱଂସ’ ତଥା ନୂତନ ପ୍ରଯୁକ୍ତିବିଦ୍ୟା ଓ ଉତ୍ପାଦନ ପଦ୍ଧତି କିପରି ଅଭିବୃଦ୍ଧି ଓ ଜୀବନଧାରଣର ମାନ ବୃଦ୍ଧି କରିପାରିବ, ସେ ବିଷୟରେ କରିଥିବା କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଥିଲେ।
