ବାରିପଦା: ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା, ଠାକୁରମୁଣ୍ଡା – କପ୍ତିପଦା ରାସ୍ତା ଦିଗଧର ନୂଆସାହି ବାଙ୍କ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବାର ଜଣାପଡିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇ ରହିଥିବା ଏକ ବାଇକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡିହା ପଞ୍ଚାୟତ ବଣୀଆଯୋଡ଼ି ଗ୍ରାମର ଶ୍ରୀରାମ ସମାଡ ନିଜ ବାଇକରେ ଶରତ ଅଞ୍ଚଳରୁ ଘରକୁ ଫେରୁଥିଲେ। ଏହି ସମୟରେ ଭେଜିଦିହା ଅଞ୍ଚଳରୁ ସହାରପଡା ଥାନା ଅନ୍ତର୍ଗତ ମାଛଗଡ ନିକଟ କମାରମରା ଗ୍ରାମର ଜଗା ବିରୁଆଙ୍କୁ ସେ ଲିଫ୍ଟ ଦେଇଥିଲେ। ଦୁଇଜଣ ଏକ ବାଇକରେ ଯାତ୍ରା କରୁଥିବା ବେଳେ ଠାକୁରମୁଣ୍ଡା ଥାନା ନୂଆସାହି ବାଙ୍କ ନିକଟରେ ରାସ୍ତାରେ ଛିଡ଼ା ହୋଇ ଥିବା ଏକ ବାଇକକୁ ଧକ୍କା ଦେଇଥିଲେ।
ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇଜଣ ରାସ୍ତାରେ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିବାର ଜଣାପଡ଼ିଛି। ଆହତ ଜଗା ବିରୁଆଙ୍କ ବାମ ଗୋଡ଼ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଶ୍ରୀରାମ ସମାଡଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବାର ଜଣାପଡିଛି ।
