ବାରିପଦା /କରଞ୍ଜିଆ; ବାରମ୍ବାର କହିବା ସତ୍ୱେ, ବନବିଭାଗ, ରାସ୍ତା କଡରେ ଥିବା, ବୃଦ୍ଧ, ଅକର୍ମଣ୍ୟ ଓ ଶୁଖିଲା ଗଛ ଗୁଡିକୁ ସଫା କରୁନଥିବାର ପରିଣାମ ଏବେ ଦେଖିବାକୁ ମିଳିଛି । କରଞ୍ଜିଆ-ଟଙ୍ଗାବିଲା ରାସ୍ତାର ତାଟୋ ନିକଟରେ ରାସ୍ତାକଡ଼ରେ ଥିବା ଏକ ଗଛ ହଠାତ୍ ଭାଙ୍ଗି ସ୍କୁଟି(ଓଡି ୧୧ ଏଡି ୧୪୬୯) ଉପରେ ପଡ଼ିବାରୁ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଜଣେ ସ୍କୁଟି ଚାଳକ କରଞ୍ଜିଆ-ଟଙ୍ଗାବିଲା ରାସ୍ତା ଦେଇ ଯାଉଥିବା ସମୟରେ ତାଟୋ ନିକଟରେ ରାସ୍ତାକଡ଼ରେ ଥିବା ଗଛଟି ହଠାତ୍ ତାଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତି ଜଣକ, କରଞ୍ଜିଆ ସହର ୧୨ ନମ୍ବର ୱାର୍ଡ ର ୨୧ ବର୍ଷୀୟ ଅଙ୍କିତ ଦେହୁରୀ ବୋଲି ଜଣାପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଘଟଣା ପରେ ମୁଖ୍ୟ ରାସ୍ତାକଡ଼ରେ ଥିବା ବିପଦସଙ୍କୁଳ ଗଛଗୁଡ଼ିକର ଚିହ୍ନଟ ଓ ଅପସାରଣ ନେଇ ଦାବି ଉଠିଛି। ଏନେଇ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିବା ଦାବି କରାଯାଉଥିବା ବେଳେ, ଏପରି ଘଟଣାର ପୁନରାବୃତ୍ତି ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିପ୍ରତି ବନ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
