ପୁରୀ: ସ୍ଥାନୀୟ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ସ୍ନେହଲତା ଶରତ ରାଉତରାୟ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ବିଶିଷ୍ଟ ଅତିଥିଭାବେ ପ୍ରାକ୍ତନ ସିବିଆଇ ଆଇନ ପରାମର୍ଶଦାତା ରାଜଶ୍ରୀ ମହାପାତ୍ର, ସମ୍ମାନିତ ଅତିଥିଭାବେ ସମାଜସେବୀ ଜୟନ୍ତୀ ମହାପାତ୍ର, ଶିକ୍ଷାବିତ୍ ଜ୍ୟୋତି ମିଶ୍ର, ସୁଚେତା ମିଶ୍ର, କ୍ରିଷ୍ଣା ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ବରିଷ୍ଠ ଆଇନଜୀବୀ ରଚିତା ରାଉତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ମାତୃଦିବସର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ପ୍ରକାଶ କରିଥିଲେ ଯେ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ପଣତରେ ଥରେ ପୋଛିହୋଇଗଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ । ସେ ଅତୁଳନୀୟ । ‘ମାଆ’ ଶବ୍ଦରେ ବାଖ୍ୟା କରିବା ଅସମ୍ଭବ । ମାଆ ଶବ୍ଦରେ ଅଛି ସଂସାରର ସବୁ ସୁଖ ଆଉ ଶାନ୍ତି । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ ହୋଇଥାଏ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆ ର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ମାଆ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ । ଦୁନିଆରେ ସଭିଙ୍କ ଋଣ ସୁଝି ହେବ । କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ବରିଷ୍ଠ ମାତୃ ସମ୍ମାନରେ କୁସୁମ ମଞ୍ଜରୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ସମାଜସେବୀ ପ୍ରମିଳା ସିଂହ, ମାମାଲି ମିଶ୍ର, ମମତା ପ୍ରଧାନ ଓ ବିବିଧ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଗୀତା ମିଶ୍ର, ସୁଜାତା ଶତପଥୀ, ଚନ୍ଦ୍ରମଣି ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ । ଶେଷରେ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
