ନୀଳଗିରି: ତାଳସଜ ଖାଇବାର ଲୋଭ ଯୁବକକୁ ମୃତ୍ୟୁମୁଖକୁ ଠେଲି ଦେଲା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଭଉଁରିଆବାଡ଼ ଗ୍ରା:ପ ତଥା ଅଯୋଧ୍ୟା ଫାଣ୍ଡି ଅଧିନ କମାରଖାଲିଆ ଗ୍ରାମର ପ୍ରଫୁଲ୍ଲ ସିଂଙ୍କ ପୁଅ ଅଭିମନ୍ୟୁ ସିଂ (୨୫)ଆଜି ସକାଳ ପ୍ରାୟ ୮,୩୦ ମିନିଟ ସମୟରେ ଘର ଠାରୁ ଅନତି ଦୂର ନିଜ ବିଲରେ ଥିବା ବିଶାଳକାୟ ତାଳ ଗଛକୁ ଏକୁଟିଆ ଚଢି ତାଳସଜ ବିଛାଉ ଥିବାବେଳେ ଧରିଥିବା ତାଳ ଡାଳଟି ଛିଣ୍ଡି ପଡ଼ିବାରୁ ଗଛରୁ ତଳକୁ ଖସି ପଡ଼ିଥିଲେ। ଯାହା ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ପାଖରେ ପାଖରେ କେହି ନଥିବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଶୌଚପାଇଁ ଯାଇଥିବା ଗ୍ରାମ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ଅଭିମନ୍ୟୁଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ମୃତ୍ୟୁ କୁ ନେଇ ଅଞ୍ଚଳରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ସିଂ ନୀଳଗିରି ମେଡିକାଲ ରେ ପହଞ୍ଚି ମୃତକ ପରିବାରଙ୍କୁ ସମବେଦନା ଜଣାଇଥିଲେ। ତେବେ ନୀଳଗିରି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।
