ବାରିପଦା :କିଛିଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜକୁ ପୁଣି ଲେଉଟିଛନ୍ତି ବିଶାଳ ଝାଡଖଣ୍ଡୀ ହାତୀପଲ। ଏହି ରେଞ୍ଜରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ମାନଙ୍କରେ ହାତୀପଲ ଦିନରେ ଡେରା ପକାଇଥିବା ବେଳେ ରାତି ହେଲେ ଖାଦ୍ଯ ଅନ୍ୱେଷଣରେ ଗାଁ ମୁହାଁକୁ ଯାଇ ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ତ କେତେବେଳେ ବିଲ ମୁହାଁ ଯାଇ ଖରାଟିଆ ଧାନ ଫସଲ ବିଲରେ ଖାଇବା ସହିତ ଦଳି ମକଚି ନଷ୍ଟ କରି ଦେଉଥିବା ଦେଖିବାକୁ ମିଳିଛି।ସେହିପରି ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ଟା ପାଖାପାଖି ସମୟରେ ମେର୍ଦା ପଞ୍ଚାୟତର ଦୁର୍ଗାପୁର ଦେଇ ୬୦ ଟିକିଆ ହାତୀପଲ ଅଁଳା ପଞ୍ଚାୟତର ରାଇକମାକୁ ଆସିଥିବା ବେଳେ କ୍ଷେତ୍ରମୋହନ ମହାନ୍ତ ନାମକ ଜଣେ ଚାଷୀ ପାଞ୍ଚମାଣ ଜମି ଭାଗଆକାରରେ ଖରାଟିଆ ଧାନ ଚାଷ କରୁଥିଲେ। କିନ୍ତୁ ସେହି ଜମିର ହାରାହାରି ୪ମାଣ ଅଂଶକୁ ହାତୀପଲ ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇ ବୈଦିପୁର ପଟେ ଯାଇଥିବା ଚାଷୀ କ୍ଷେତ୍ରମୋହନ ପ୍ରକାଶ କରିଛନ୍ତି। ସେହିପରି ସେହି ବିଳମ୍ବିତ ରାତିରେ ମେର୍ଦା ପଞ୍ଚାୟତର ବର୍ତ୍ତନା ଉପକଣ୍ଠ ଆଳଦିଆ ଗ୍ରାମର ଶମ୍ଭୁଆ ମହାକୁଡଙ୍କ ଘରକୁ ମଧ୍ଯ ଭାଙ୍ଗି ବ୍ୟାପକ ଉପଦ୍ରବ ଘଟାଇଥିବା ଜଣାପଡିଛି। ଏପଟେ ବନବିଭାଗ ପକ୍ଷରୁ ନିୟୋଜିତ ଥିବା ଗଜସାଥୀ ଉପସ୍ଥିତ ଥିଲେ ମଧ୍ଯ ଏତେ ବଡ ହାତୀପଲକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇପଡୁଥିବା ଯୋଗୁଁ ଗ୍ରାମବସୀମାନେ ବନ ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ଷୟକ୍ଷତିକୁ ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି।
