ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ମନରେ ଥିବା ଆକୁଳତା ଆଜି ୧୯୧ ଦିନର ସଂକଳ୍ପରେ ପରିଣତ ହୋଇଛି। ଦିନ ପରେ ଦିନ ବିତୁଛି, ପାଗ ବଦଳୁଛି; କିନ୍ତୁ ପୁରୀବାସୀଙ୍କ ଆଶା, ଭକ୍ତି ଓ ନ୍ୟାୟସଙ୍ଗତ ଦାବିର ସ୍ୱର ଥମିନାହିଁ। ୧ ଅପ୍ରେଲ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଅହିଂସାମୂଳକ ସଚେତନତା ପଦଯାତ୍ରା ଆଜି ୧୯୧ତମ ଦିନରେ ପହଞ୍ଚିଛି। ଭକ୍ତ ସାଲବେଗ ପୀଠରୁ ସତ୍ୟାଗ୍ରହୀମାନେ ଶାନ୍ତି, ଶୃଙ୍ଖଳା ଓ ଦୃଢ଼ ସଂକଳ୍ପ ସହ ପଦଯାତ୍ରା କରି ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିଥିଲେ। ପତିତପାବନଙ୍କ ଦର୍ଶନ ପରେ ମହାପ୍ରଭୁଙ୍କ ଶ୍ରୀଚରଣରେ ମଥା ନୁଆଁଇ ସେମାନେ ପ୍ରାର୍ଥନା କରିଥିଲେ; “ହେ ପ୍ରଭୁ ଜଗନ୍ନାଥ, ଆମ ମନର କଥା ତୁମେ ଜାଣ। ଆମ ଦୁଃଖ ବୁଝ। ଆମ ଗୁହାରି ଶୁଣ।ପଦଯାତ୍ରୀ ସତ୍ୟାଗ୍ରହୀମାନଙ୍କ କହିବା ଅନୁଯାୟୀ, ଏହା କୌଣସି ବିଶେଷ ସୁବିଧା ପାଇଁ ଆନ୍ଦୋଳନ ନୁହେଁ।

ଯେଉଁ ଶ୍ରୀକ୍ଷେତ୍ରରେ ପୁରୀବାସୀ ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ସେବା, ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ, ସେହି ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକ ସହଜ, ସୁବ୍ୟବସ୍ଥିତ, ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା ହେଉ—ଏହା ହିଁ ସେମାନଙ୍କର ମୂଳ ଆକାଂକ୍ଷା। ୧୯୧ ଦିନର ଏହି ଯାତ୍ରାରେ କ୍ଲାନ୍ତି ଆସିଥାଇପାରେ, କିନ୍ତୁ ସଂକଳ୍ପ ଦୁର୍ବଳ ହୋଇନାହିଁ। ଅପେକ୍ଷା ଲମ୍ବା ହୋଇଥାଇପାରେ, କିନ୍ତୁ ଆଶା ମରିନାହିଁ। ପ୍ରତିଦିନର ପଦଚାରଣ କେବଳ ରାସ୍ତା ଉପରେ ଚାଲିବା ନୁହେଁ; ଏହା ନିଜ ଆରାଧ୍ୟଙ୍କ ନିକଟରେ ଏକ ନିରବ ପ୍ରାର୍ଥନା ଓ ପ୍ରଶାସନ ନିକଟରେ ଏକ ଶାନ୍ତିପୂର୍ଣ୍ଣ ଆବେଦନ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଆମେ କାହା ବିରୋଧରେ ନୁହେଁ; ଆମେ ଆମର ନ୍ୟାୟସଙ୍ଗତ ଦାବି ପାଇଁ ଦୃଢ଼ ଭାବେ ଠିଆ ହୋଇଛୁ। ସତ୍ୟ ଓ ଅହିଂସା ଆମର ଅସ୍ତ୍ର। ୧୯୧ ଦିନ ହେଲାଣି, ତଥାପି ଆମ ମନରେ କ୍ରୋଧ ନୁହେଁ—ଆଶା ଅଛି। ଆମର ବିଶ୍ୱାସ, ମହାପ୍ରଭୁଙ୍କ କୃପା ଓ ଗଣତାନ୍ତ୍ରିକ ପଥରେ ଦିନେ ନା ଦିନେ ନିଶ୍ଚୟ ସମାଧାନ ଆସିବ।ଏହି ଅବସରରେ ଶ୍ରୀମନ୍ଦିର ପରିସରରେ ଜଣେ ଫଟୋ ସାମ୍ବାଦିକଙ୍କ ଉପରେ ଜେଟିପିଙ୍କ ଆକ୍ରମଣ ଘଟଣାକୁ ନେଇ ମଧ୍ୟ ସତ୍ୟାଗ୍ରହୀମାନେ ଗଭୀର ଉଦ୍?ବେଗ ଓ ନିନ୍ଦା ପ୍ରକାଶ କରିଛନ୍ତି। ଘଟଣାକୁ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୋଗ ଆଧାରରେ ମାମଲା ରୁଜୁ ହେବା ପରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ତ୍ୱରିତ ଓ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନ ଉଠିଛି।ସାମ୍ବାଦିକଙ୍କ ସୁରକ୍ଷା ଓ ନିର୍ଭୀକ ସାମ୍ବାଦିକତା ଗଣତନ୍ତ୍ରର ଅବିଚ୍ଛିନ୍ନ ଅଂଶ। ତେଣୁ ଏଭଳି ଘଟଣାରେ ନିରବତା କିମ୍ବା ବିଳମ୍ବ କୌଣସି ଭାବେ ଗ୍ରହଣୀୟ ନୁହେଁ।

ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତାକୁ ସତ୍ୟାଗ୍ରହୀମାନେ ଦୃଢ଼ ଭାବେ ନିନ୍ଦା କରିବା ସହ ତୁରନ୍ତ ଆଇନସମ୍ମତ ଓ ନିରପେକ୍ଷ ପଦକ୍ଷେପ ନେବାକୁ ଦାବି କରି ଗୁରୁବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଜଗଦାନନ୍ଦ ରାୟ, କାହ୍ନୁଚରଣ ପ୍ରଧାନ, ରମେଶ ଚନ୍ଦ୍ର ମହାନ୍ତି, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ଭାରତୀ ମହାନ୍ତି, ଅଞ୍ଜୁବାଳା ମହାନ୍ତି, ମମତା ଦାସ, ସିପୁନ ସାହୁ, ବୈଶାଳୀ ପ୍ରଧାନ, ମମତା ସ୍ୱାଇଁ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ଅଭିମନ୍ୟୁ ରାୟଗୁରୁ, କିଶୋର ଚନ୍ଦ୍ର ଦାସ, ଲାଲା ଅନନ୍ତ କୁମାର ସିଂହ, ଗଦାଧର ମହାରଣା, ସନ୍ତୋଷ ସେନାପତି, ଅମ୍ରିତ ସାମନ୍ତରାୟ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ପଦଯାତ୍ରୀ ସତ୍ୟାଗ୍ରହୀ ଯୋଗଦେଇଥିଲେ।୧୯୧ ଦିନର ଏହି ପଦଯାତ୍ରା ଆଜି ଏକ ଦାବିରୁ ଅଧିକ; ଏହା ପୁରୀବାସୀଙ୍କ ଭକ୍ତି, ଆତ୍ମସମ୍ମାନ, ଧୈର୍ଯ୍ୟ ଓ ଅଟଳ ବିଶ୍ୱାସର ଏକ ଜୀବନ୍ତ ଅଭିବ୍ୟକ୍ତି। ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା ଓ ନିରବ ସତ୍ୟାଗ୍ରହ ଅବ୍ୟାହତ ରହିବ ବୋଲି ସତ୍ୟାଗ୍ରହୀମାନେ ପୁନର୍ବାର ସଂକଳ୍ପ କରିଛନ୍ତି। “ହେ ମହାପ୍ରଭୁ ଜଗନ୍ନାଥ, ଆମ ଗୁହାରି ଶୁଣ। ପୁରୀବାସୀଙ୍କ ମନର ବେଦନା ବୁଝ। ତୁମ ଶ୍ରୀଚରଣରେ ଆମର ଏହି ନିରବ ସଂକଳ୍ପ ସଫଳ ହେଉ।
