ପୁରୀ: ମହାଶକ୍ତି ଗାୟତ୍ରୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚରେ ଉଦଘାଟିତ ହୋଇଯାଇଛି । ଉଦଯାପନୀ ସଂଧ୍ଯାରେ ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କହିଲେ ଯୋଗ ହିଁ ମଣିଷକୁ ନିରୋଗ ରଖେ । ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ପୁରାତନ ଯୁଗରୁ ଯୋଗ ରହିଆସିଛି । ସମ୍ମାନିତ ଅତିଥି ଭାବେ ସଦରବ୍ଲକ ଅଧ୍ଯକ୍ଷ ଦିବାକର ପାତ୍ର , ଭାରତ ଖୋ ଖୋ ଫେଡେରେସନ ଉପସଭାପତି ତଥା ପ୍ରୟାସ ଟେଲିଭିଜନର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ର, ଯୋଗଗୁରୁ ଜମ୍ବେଶ୍ୱର ଖୁଣ୍ଟିଆ, ବରିଷ୍ଠ ଆଇନଜୀବୀ ଡକ୍ଟର ପ୍ରଧାନ ଧୀରେନ ରାୟ, ବିନାୟକ ସଂଘ ସଭାପତି ସନ୍ଦୀପ କୁମାର ଦାଶ ,ଭାରତ ଜନତା ମଞ୍ଚ ରାଜ୍ଯ ସଭାପତି ରଜନୀକାନ୍ତ ମିଶ୍ର , ସମାଜସେବୀ ସୁରେଶ ଚନ୍ଦ୍ର ବାରିକ ଓ ଅଭିମନ୍ୟୁ ଜେନା ପ୍ରମୁଖ ଉପସ୍ଥିତ ରହି ଯୋଗ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ସହ ମନ ପ୍ରଫୁଲ୍ଲ ରହିବ ଓ ଶରୀର ସୁନ୍ଦର ଗଠନର ଉପକାରିତା ମିଳିପାରିବ ବୋଲି ମତବ୍ୟକ୍ତ କରିବା ସହ ଯୋଗ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ସଭାପତି ତଥା ଶଙ୍କରାଚାର୍ଯ୍ୟ ମଠର ଯୋଗଗୁରୁ ପୂର୍ଣ୍ଣଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ । ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ସଂଚାଳନ କରିଥିଲେ ଶ୍ଯାମପ୍ରକାଶ ସେନାପତି । ପ୍ରାରମ୍ଭରେ ଅନୁଷ୍ଠାନର ଯୋଗ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ବାଳକ ବିଭାଗରେ ପ୍ରକାଶ ବେହେରା ଓ ବାଳିକା ବିଭାଗରେ ଯାଜେ୍ଞସିନୀ ସାହୁ ଚମ୍ପିଅନ ଅପ ଚମ୍ପିଅନ୍ସ ହୋଇଥିଲେ । ବାଳକ ବିଭାଗରେ ବିଶ୍ୱଜିତ ମହାନ୍ତି ଓ ବାଳିକା ବିଭାଗରେ ସଙ୍ଗୀତା ପାଢୀ ରନର୍ସ ଅପ ହୋଇଥିଲେ ।ଦ୍ୱିତୀୟ ରନର୍ସ ଅପ ଭାବେ ବି.ଲକ୍ଷ୍ମୀ ବେହେରା ଓ ବିଶ୍ୱଜିତ ସାସମଲ । ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା ।

ଏହି ଅବସରରରେ ଯୋଗଗୁରୁ,ସମାଜସେବୀ, ସାମ୍ବାଦିକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଯୋଗ ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଭୋର ହୋଇଥିଲେ ଦର୍ଶକ । ଏଥିରେ ୩ ବର୍ଷ ରୁ ୬ ବର୍ଷ, ୭ ବର୍ଷ ରୁ ୯ ବର୍ଷ, ୧୦ରୁ ୧୨ ବର୍ଷ, ୧୩ରୁ ୨୦ ବର୍ଷ, ୨୧ରୁ ୩୦ ବର୍ଷ, ୩୧ରୁ ୬୦ ବର୍ଷ ପର୍ଯ୍ୟନ୍ତ ବାଳକ, ବାଳିକା, ଯୁବକ, ଯୁବତୀ ଓ ମହିଳା ଓ ପୁରୁଷ ଏହି ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୧୨ଟି ଗ୍ରୁପ କରାଯାଇଥିଲା । ପ୍ରତି ଗ୍ରୁପର ୧ ରୁ ୬ ପର୍ଯ୍ୟନ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ଯର ୮ ଟି ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନ ଅଧିବେଶନରେ ମୁଖ୍ଯ ଅତିଥି ଭାବେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ଯ ତଥା ବରିଷ୍ଠ ସେବାୟତ ଭଗବାନ ସୁଆର ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଲୋକନାଥ ମନ୍ଦିର ବରିଷ୍ଠ ସେବାୟତ ବନମାଳି ପଣ୍ଡା, ଆଇନଜୀବୀ ବିନୟ ନୃସିଂହ ମହାପାତ୍ର ଓ ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ । ମୟୁରଭଞ୍ଜ ଜିଲ୍ଲାର ବାରିପଦା, ଉଦଳା, ବାଲେଶ୍ୱର, କେନ୍ଦୁଝର, କଟକ, ଖୋର୍ଦ୍ଧା,ପୁରୀ ଓ ବ୍ରହ୍ମପୁରର ଯୋଗ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମୟୁରଭଞ୍ଜ ଯୋଗ ପ୍ରଶିକ୍ଷକ ଜ୍ଯୋତିରଞ୍ଜନ ଦାସ, କଟକ ବାରବାଟୀ ଯୋଗ ଆସୋସିଏସନର ପ୍ରଶିକ୍ଷକ ଦେବାଶିଷ ହାଲଦାର ଓ ବ୍ରହ୍ମପୁର ଯୋଗ ପ୍ରଶିକ୍ଷକ ସନ୍ତୋଷ ବିଶ୍ୱାଳ ପ୍ରମୁଖ ଯୋଗ ପ୍ରତିଯୋଗିତାକୁ ନିରୀକ୍ଷଣ କରିଥିଲେ । କାର୍ଯ୍ୟକ୍ରମରେ ସଦାଶିବ ସାହୁ, ରମେଶ ଚନ୍ଦ୍ର ସାହୁଙ୍କ ସମେତ ଅନୁଷ୍ଠାନର ସଦସ୍ଯ ମାନେ ସହଯୋଗ କରିଥିଲେ । ଶତାଧିକ ଅଭିଭାବକ ଅଭିଭାବିକାଙ୍କ ସମେତ ଯୋଗ ଶିକ୍ଷାର୍ଥୀ ଓ ଯୋଗପ୍ରେମୀ ମାନେ ଉପସ୍ଥିତ ରହି ଯୋଗ ପିଲାମାନଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ ।
