ପୁରୀ: ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ପକ୍ଷରୁ ଚକ୍ର ତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନରେ ଅଷ୍ଟମ କଳାଶ୍ରୀ ସମ୍ମାନ ୨୦୨୬ ଦ୍ୱିତୀୟ ଦିନ ପ୍ରଥମ ଅଧିବେଶନ ଶନିବାର ପୂର୍ବାହ୍ନରେ ଓଡିଶୀ, କଥକ, ଭାରତନାଟ୍ୟମ ଓ କୁଚିପୁଡ଼ି ନୃତ୍ୟରେ ଦୁଲୁକିଲା ମଞ୍ଚ । ଏଥିରେ ମୁଖ୍ଯ ଅତିଥି ଭାବେ ଗୁରୁ ପ୍ରଫେସର ମନୋଜ କୁମାର ବେହେରା, ଭାରତ ଖୋ ଖୋ ଫେଡେରେସନର ଉପସଭାପତି ତଥା ପ୍ରୟାସ ଟେଲିଭିଜନର ପରିଚାଳନା ନିର୍ଦ୍ଦେଶକ ଓ ଦୈନିକ ଖବର କାଗଜ ଅମୃତ ଦୁନିଆ କାର୍ଯ୍ଯନିର୍ବାହୀ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ କହିଲେ ଭାରତର ସଂସ୍କୃତି ଐତିହ୍ଯ ଓ ପରମ୍ପରାକୁ ଉଜବିତ କରିବା ଓ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ । ବିଭିନ୍ନ ଦୂର ଦୂରାନ୍ତ ପ୍ରାନ୍ତରୁ ଆସିଥିବା ଚାରିଶହ ବିଭିନ୍ନ ବର୍ଗର ନୃତ୍ୟଶିଳ୍ପୀ ଓ ତାଙ୍କର ଅଭିଭାବକ ମାନଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲେ । ନୃତ୍ଯ ପରିବେଷଣ କରି ଆଗକୁ ବଢିବା ସହ ଦେଶ ଓ ରାଜ୍ଯର ନାମ ରଖିବା ପାଇଁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ ।

ଗୁରୁ ଲକ୍ଷ୍ମଣ ମହାରଣା, ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀପତି ଆଚାର୍ଯ୍ଯ,ଗୁରୁ ଦେବଦଶ ମହାନ୍ତି, ଗୁରୁ ପ୍ରସନ୍ନ ମହାରଣା, ଗୁରୁ ପ୍ରତାପ କୁମାର ବେହେରା, ଡକ୍ଟର ମହେଶ କୁମାର ବେହେରା,ଗୁରୁ ସଂଧ୍ଯାରାଣୀ ମହାପାତ୍ର ଓ ଗୁରୁ ସୋନାଲି ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ମୁଖ୍ଯ ଡ.ମନମୋହନ ଶର୍ମା କାର୍ଯ୍ଯକ୍ରମରେ ଅଧ୍ୟକ୍ଷତା କରିଥିଲେ । ପ୍ରଥମ ଅଧିବେଶନରେ ନୃତ୍ଯ ଶିଳ୍ପୀ ମାନଙ୍କୁ ପ୍ରମାଣପତ୍ର, ଉପଢୌକନ, ଟ୍ରଫି ଏବଂ କଳାଶ୍ରୀ ବିନ୍ଦୁ ସମ୍ମାନ ପ୍ରଦାନ କରାଯିବା ସହିତ ଗୁରୁମାନଙ୍କୁ ଭାରତୀୟ କଳାଶ୍ରୀ ରତ୍ନ ସମ୍ମାନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଶାସ୍ତ୍ରୀୟ ନୃତ୍ୟ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ଗୁରୁ ବସନ୍ତ କୁମାର ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ଉପସ୍ଥାପନ ଦିବ୍ଯାଂଶା ଦିବ୍ଯାଂଶି କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶୁଭଲକ୍ଷ୍ମୀ ସାହୁ ।ଗାୟତ୍ରୀ ନାୟକ, ସଂସ୍କୃତି ଶତପଥୀ, ସୁଷମା ସାହୁ ଓ ବିଜୟଲକ୍ଷ୍ମୀ ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ଯ ସଦସ୍ଯା ମାନେ ସହଯୋଗ କରିଥିଲେ । ଭାରତର କୋଣ ଅନୁକୋଣରୁ ଓଡିଶୀ, କଥକ, ଭାରତନାଟ୍ୟମ ଓ କୁଚିପୁଡ଼ି ନୃତ୍ଯ ମଞ୍ଚରେ ପରିବେଷଣ ହୋଇଥିଲା । ନୃତ୍ଯଶିଳ୍ପୀଙ୍କ ଲୟ,ତାଳ, ଭାବ ଭଙ୍ଗି ଓ ବିଭିନ୍ନ ମୁଦ୍ରାର ପରିବେଷଣ ଦେଖି ଶତାଧିକ ଦର୍ଶକ ଅଭିଭାବକ ମାନେ ଭାବବିହ୍ୱଳ ହୋଇଥିଲେ ।
