ପୁରୀ: ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁବିଧାଜନକ ଦର୍ଶନ ପାଇଁ ଏକ ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା ଦାବିରେ ଗତ ୧ ଅପ୍ରେଲ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ସଚେତନତା ପଦଯାତ୍ରା ବୁଧବାର ୧୯୦ ଦିନରେ ପହଞ୍ଚିଛି। ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପରବର୍ତ୍ତୀ ସମୟରେ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଜାରି ରହିଛି। ୧୯୦ତମ ଦିନରେ ମଧ୍ୟ ପଦଯାତ୍ରୀମାନେ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରି ନିଜ ଦାବି ଦୋହରାଇଥିଲେ। ସିଂହଦ୍ୱାର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରି ସତ୍ୟାଗ୍ରହୀମାନେ ମହାପ୍ରଭୁଙ୍କ ନିକଟରେ ନିଜ ଦୁଃଖ ଓ ଦାବି ଜଣାଇ ଆକୁଳ ଗୁହାରି କରିଥିଲେ; “ହେ ପ୍ରଭୁ, ଆମ ଦୁଃଖ ବୁଝ। ଆମ ଗୁହାରି ଶୁଣ।ପଦଯାତ୍ରୀ ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ଦୀର୍ଘ ୧୯୦ ଦିନ ଧରି ଅହିଂସା ଓ ଗଣତାନ୍ତ୍ରିକ ପଦ୍ଧତିରେ ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇନାହିଁ। ପୁରୀବାସୀ କୌଣସି ବିଶେଷ ସୁବିଧା ନୁହେଁ, ବରଂ ନିଜ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ ସୁବ୍ୟବସ୍ଥିତ, ସହଜ ଓ ସମ୍ମାନଜନକ ବ୍ୟବସ୍ଥା ଚାହୁଁଛନ୍ତି।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଆମର ଆନ୍ଦୋଳନ ଅହିଂସା, ଧୈର୍ଯ୍ୟ ଓ ସତ୍ୟାଗ୍ରହର ମାର୍ଗରେ ଚାଲିଛି। ୧୯୦ ଦିନ ପରେ ମଧ୍ୟ ଆମ ସଂକଳ୍ପ ସେହିପରି ଦୃଢ଼ ରହିଛି।

ମହାପ୍ରଭୁଙ୍କ ନିକଟରେ ଗୁହାରି କରିବା ସହିତ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ଦାବିର ଗୁରୁତ୍ୱ ବୁଝି ଶୀଘ୍ର ସ୍ଥାୟୀ ସମାଧାନ କରନ୍ତୁ। ସ୍ଥାୟୀ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଆମର ଅହିଂସାମୂଳକ ଗଣତାନ୍ତ୍ରିକ ପ୍ରୟାସ ଜାରି ରହିବ।ବୁଧବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଜଗଦାନନ୍ଦ ରାୟ, ରମେଶ ଚନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ସ୍ୱାଇଁ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ପ୍ରଣତୀ ରାୟ, ସୋନା ବେହେରା, ତନୁପ୍ରିୟା ଦାଶ, ବବଲି ନାୟକ, ପ୍ରିତ ରାଉତ, ଇଶାରାଣୀ, ମମତା ସ୍ୱାଇଁ, କାହ୍ନୁଚରଣ ପ୍ରଧାନ, ଶିଶିରକାନ୍ତ ଶତପଥୀ, ବରୁଣ ମହାପାତ୍ର, ଗଦାଧର ମହାରଣା, ଭୋଳା, ସୁବାସ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।୧୯୦ ଦିନର ଏହି ସଚେତନତା ପଦଯାତ୍ରା ଏବେ କେବଳ ଏକ ଦାବିରେ ସୀମିତ ନରହି ପୁରୀବାସୀଙ୍କ ଧୈର୍ଯ୍ୟ, ଅହିଂସା, ଭକ୍ତି ଓ ଅଟଳ ସଂକଳ୍ପର ପ୍ରତୀକ ପାଲଟିଛି। ସତ୍ୟାଗ୍ରହୀମାନେ ସ୍ପଷ୍ଟ କରିଛନ୍ତି ଯେ, ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା ଘୋଷଣା ନହେବା ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା ଓ ନିରବ ସତ୍ୟାଗ୍ରହ ଅବ୍ୟାହତ ରହିବ। “ହେ ପ୍ରଭୁ ଜଗନ୍ନାଥ, ଆମ ଗୁହାରି ଶୁଣ; ପୁରୀବାସୀଙ୍କ ଦୁଃଖ ବୁଝ।
