ନୂଆଦିଲ୍ଲୀ: ହରମନ୍ପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ୍ ଦଳର ସମସ୍ତ ଫର୍ମାଟର ଅଧିନାୟକ ପଦରୁ ଓହରି ଯାଇଛନ୍ତି। ଏହା ସହିତ ତାଙ୍କର ନେତୃତ୍ୱ କାଳର ସମାପ୍ତି ଘଟିଛି, କିନ୍ତୁ ସେ ଜାତୀୟ ଦଳ ପାଇଁ ଖେଳ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ଗୁଆହାଟୀରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଏକ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଥିଲା। ଏହି ବୈଠକରେ ଗତ କିଛି ମାସ ମଧ୍ୟରେ ଦଳର ପ୍ରଦର୍ଶନର ସମୀକ୍ଷା କରାଯିବା ସହ ଭବିଷ୍ୟତର କାର୍ଯ୍ୟଯୋଜନା ଉପରେ ଆଲୋଚନା କରାଯାଇଥିଲା। ବିସିସିଆଇ ସମ୍ପାଦକ ଦେବାଜିତ ସାଇକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହରମନପ୍ରୀତ, ଉପ-ଅଧିନାୟକ ସ୍ମୃତି ମନ୍ଧାନା ଏବଂ ମୁଖ୍ୟ ପ୍ରଶିକ୍ଷକ ଅମୋଲ ମୁଜୁମଦାର ଯୋଗ ଦେଇଥିଲେ। ନେତୃତ୍ୱ ଭୂମିକାରୁ ହରମନପ୍ରୀତଙ୍କ ଓହରିବା ଭାରତୀୟ ମହିଳା କ୍ରିକେଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ସମାପ୍ତି ଘଟାଇଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ଅନେକ ଐତିହାସିକ ସଫଳତା ହାସଲ କରିଥିଲା, ଯେଉଁଥିରେ ଙଊଓ ବିଶ୍ୱକପ୍ ବିଜୟ ଏବଂ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବା ଅନ୍ତର୍ଭୁକ୍ତ। ଦୀର୍ଘ ଦିନ ଧରି ଉପ-ଅଧିନାୟକ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ସ୍ମୃତି ମନ୍ଧାନା ଦଳର ନେତୃତ୍ୱର ପରବର୍ତ୍ତୀ ପର୍ଯ୍ୟାୟକୁ ଆଗେଇ ନେବେ ବୋଲି ଆଶା କରାଯାଉଛି। ସମୀକ୍ଷା ବୈଠକ ସମୟରେ ହରମନପ୍ରୀତଙ୍କୁ ଏହି ନିଷ୍ପତ୍ତି ନେବାକୁ ପ୍ରବର୍ତ୍ତାଇ ଦିଆଯାଇଥିଲା କି ନାହିଁ, ତାହା ଅସ୍ପଷ୍ଟ ରହିଛି। ତଥାପି, ଏହି ଘୋଷଣାର ସମୟକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ୍ ମିଡିଆରେ ଏକ ବିସ୍ତୃତ ବାର୍ତ୍ତା ମାଧ୍ୟମରେ ହରମନପ୍ରୀତ ଏହି ନିଷ୍ପତ୍ତିକୁ କଷ୍ଟକର ବୋଲି ବର୍ଣ୍ଣନା କରିଥିଲେ। ତେବେ ସେ କହିଥିଲେ ଯେ ଜାତୀୟ ଦଳ ପାଇଁ ବର୍ଷ ବର୍ଷ ଧରି ସେବା ପ୍ରଦାନ କରିବା ପରେ ବର୍ତ୍ତମାନ ଆଗକୁ ବଢ଼ିବାର ସମୟ ଆସିଯାଇଛି ବୋଲି ସେ ବିଶ୍ୱାସ କରନ୍ତି। ସେ ପ୍ରଥମେ ୨୦୧୬ରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ, ଯାହା ପୂର୍ବରୁ ସେ ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ତୁଲାଇଥିଲେ। ହରମନପ୍ରୀ ନିଜ କାର୍ଯ୍ୟକାଳ ଉପରେ ମତ ରଖିବା ବେଳେ ହରମନପ୍ରୀତ କଠିନ ସମୟ, ପରାଜୟ, ସମାଲୋଚନା ଓ ସନ୍ଦେହ ସହିତ ଭାରତର ପ୍ରତିନିଧିତ୍ୱ କରିବା ଜନିତ ବିଜୟ, ଉତ୍ସବ ଓ ଗର୍ବର ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଥିଲେ। ସେ କହିଥିଲେ ଯେ ସେ ଏକ ଶାନ୍ତ ମନ ନେଇ ଅଧିନାୟକ ପଦରୁ ଓହରିଛନ୍ତି। କାରଣ ତାଙ୍କର ଦୃଢ଼ ବିଶ୍ୱାସ ଯେ ଦଳ ପାଖରେ ପ୍ରତିଭା, ଦୃଢ଼ ମନୋବଳ, ଆତ୍ମବିଶ୍ୱାସ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ରହିଛି।
ହରମନପ୍ରୀତ ନିଜ ସହ-ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ୍, ପରିଚାଳନା କମିଟି, ବିସିସିଆଇ, ପରିବାର ଏବଂ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ, ଯେଉଁମାନେ ଉତ୍ଥାନ-ପତନର ସମୟରେ ତାଙ୍କ ସହିତ ଛିଡ଼ା ହୋଇଥିଲେ। ସେ କହିଥିଲେ ଯେ ଯଦିଓ ତାଙ୍କର ଅଧିନାୟକତ୍ୱ ଶେଷ ହୋଇଛି, ତଥାପି ଭାରତୀୟ କ୍ରିକେଟ୍ ସହିତ ତାଙ୍କର ସମ୍ପର୍କ ଶେଷ ହୋଇନାହିଁ। ଏହି ପରିବର୍ତ୍ତନ ହରମନପ୍ରୀତଙ୍କୁ କ୍ରମାଗତ ରଣନୈତିକ ସମୀକ୍ଷାର ବୋଝ ବିନା ଜଣେ ବ୍ୟାଟର ଭାବରେ ନିଜ ଭୂମିକା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ସୁଯୋଗ ଦେବ। ଏହା ସହିତ, ଆଗାମୀ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏକ ନୂତନ ରଣନୀତି ଅଧୀନରେ ଦଳକୁ ସୁଦୃଢ଼ କରିବାର ସୁଯୋଗ ମଧ୍ୟ ଜାତୀୟ ଦଳକୁ ମିଳିବ।
