ନୂଆଦିଲ୍ଲୀ: ମଙ୍ଗଳବାର ଦିନ ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ପାନାମା ପତାକାବାହୀ ଏକ ବାଣିଜ୍ୟିକ ଜାହାଜ ଉପରେ ପ୍ରକ୍ଷେପଣାସ୍ତ୍ର ମାଡ଼ ହେବା ଫଳରେ ୧୧ ଜଣ ଭାରତୀୟ କର୍ମଚାରୀ ଆହତ ହୋଇଛନ୍ତି; ଭାରତ ଏହି ଘଟଣାର ଦୃଢ଼ ନିନ୍ଦା କରିଛି। “ଏମ୍ଟି ଅନ ୍ପିସ୍’ ନାମକ ଏହି ଜାହାଜରେ ୧୭ ଜଣ ଭାରତୀୟ ନାଗରିକଙ୍କ ସମେତ ମୋଟ ୧୯ ଜଣ କର୍ମଚାରୀ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ) ଅନୁଯାୟୀ, ଏହି ଆକ୍ରମଣରେ ମୋଟ ୧୨ ଜଣ କର୍ମଚାରୀ ଆହତ ହୋଇଛନ୍ତି, ଯେଉଁଥିରେ ୧୧ ଜଣ ଭାରତୀୟ ଅଛନ୍ତି। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, “ଆମେ ଓମାନ୍ ଉପକୂଳ ନିକଟରେ ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ପ୍ରକ୍ଷେପଣାସ୍ତ୍ର ମାଡ଼ର ଶିକାର ହୋଇଥିବା ପାନାମା ପତାକାବାହୀ ବାଣିଜ୍ୟିକ ଜାହାଜ ‘ଏମ୍ଟି ଅନ୍ ପିସ୍’ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛୁ।’ ଏଥିରେ ଆହୁରି କୁହାଯାଇଛି ଯେ, “ମୋଟ ୧୯ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୭ ଜଣ ଭାରତୀୟ ନାଗରିକ ଅଟନ୍ତି। ସୂଚନା ମୁତାବକ, ୧୧ ଜଣ ଭାରତୀୟଙ୍କ ସମେତ ମୋଟ ୧୨ ଜଣ କର୍ମଚାରୀ ଆହତ ହୋଇଛନ୍ତି।’ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ଅଞ୍ଚଳରେ ଜାହାଜ ଚଳାଚଳ ଉପରେ ଘଟୁଥିବା କ୍ରମାଗତ ଆକ୍ରମଣ ଭାରତ ପାଇଁ ଗଭୀର ଚିନ୍ତାର ବିଷୟ ହୋଇ ରହିଛି। ମନ୍ତ୍ରଣାଳୟ କହିଛି, “ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉଦ୍ଦେଶ୍ୟରେ ଆମେ ଏଭଳି ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ପାଇଁ ଆମର ଆହ୍ୱାନକୁ ଦୋହରାଉଛୁ।’ ଏଥିସହ ଏହା କହିଛି ଯେ, “ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ, ନାବିକ ଏବଂ ସାଧାରଣ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରିବା ବନ୍ଦ ହେବା ଉଚିତ ଏବଂ ଅନ୍ତର୍ଜାତୀୟ ଜଳପଥ ଦେଇ ଜାହାଜ ଚଳାଚଳ ଓ ବାଣିଜ୍ୟ କାର୍ଯ୍ୟକଳାପ ଯଥାଶୀଘ୍ର ପୁନଃସ୍ଥାପିତ ହେବା ଆବଶ୍ୟକ। ମନ୍ତ୍ରଣାଳୟ ଜଣାଇଛି ଯେ ଓମାନର କର୍ତ୍ତୃପକ୍ଷଙ୍କ ସହାୟତାରେ ଉକ୍ତ ଜାହାଜର ନାବିକମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଏହା କହିଛି, “ଓମାନ କର୍ତ୍ତୃପକ୍ଷଙ୍କ ସହାୟତାରେ ଆହତ କର୍ମଚାରୀମାନଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନେ ଓମାନର ଖସାବଠାରେ ଚିକିତ୍ସିତ ହେଉଛନ୍ତି। ଆମେ ଓମାନ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ମୂଲ୍ୟବାନ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ।
