ଧୂଷୁରୀ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ କୋରୁଆ ଗ୍ରାମରେ ସୋମବାର ରାତିରେ ଚୋରମାନେ ଆତଙ୍କ ଖେଳାଇଛନ୍ତି। ଗୋଟିଏ ଘର ସମେତ ୩ଟି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ସୁନାଗହଣା ଓ ନଗଦ ଟଙ୍କା ଏବଂ ଦୋକାନଗୁଡ଼ିକରୁ ବିଭିନ୍ନ ସାମଗ୍ରୀ ଓ ଟଙ୍କା ଲୁଟ୍ ହୋଇଛି।
ସୂଚନା ଅନୁଯାୟୀ, ଗ୍ରାମର ରୀନାରାଣୀ ବେହେରା ରାତିରେ ଘରେ ଶୋଇଥିବା ସମୟରେ ଚୋରମାନେ ସିଡ଼ିଘର କବାଟ କାଟି ଘର ଭିତରକୁ ପଶିଥିଲେ। ପରେ ଗଡ୍ରେଜ୍ ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୪୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।
ଏହାପରେ ଦୁର୍ବୃତ୍ତମାନେ ଗ୍ରାମର ମୁକ୍ତିକାନ୍ତ ସାହୁ, ଦିବାକର ମନ୍ଥନ ଓ ପ୍ରଶାନ୍ତ ବେହେରାଙ୍କ ଦୋକାନକୁ ଟାର୍ଗେଟ୍ କରିଥିଲେ। ଦୋକାନଗୁଡ଼ିକର ତାଲା ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ସହ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସକାଳେ ଘଟଣା ଜଣାପଡ଼ିବା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖବର ପାଇ ଧୂଷୁରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏନେଇ ଧୂଷୁରୀ ଥାନାରେ କେସ୍ ନମ୍ବର ୪୩୧/୨୬ରେ ମାମଲା ରୁଜୁ ହୋଇଛି।
