ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତିଆ ଗ୍ରାମରେ ଏକ ବାହାଘର ଭୋଜି ଖାଇବା ପରେ ପ୍ରାୟ ୩୦ ଜଣ ଲୋକ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ଘଟଣା ଅଞ୍ଚଳରେ ଚିନ୍ତା ଓ ଭୟର ପରିବେଶ ସୃଷ୍ଟି କରିଛି। ଅସୁସ୍ଥମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ବର୍ତ୍ତିଆ ଗ୍ରାମସ୍ଥିତ ପ୍ରହରୀ ମଣ୍ଡପରେ ସାଲାଇନ ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି। ଘଟଣା ସମ୍ପର୍କରେ ଖବର ପାଇବା ସହିତ ଖପ୍ରାଖୋଲ ମେଡିକାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ସୁରଜ ଦୀପ ତୁରନ୍ତ ସଚେତନ ହୋଇ ଏକ ସ୍ୱତନ୍ତ୍ର ମେଡିକାଲ ଟିମ ସହ ଗ୍ରାମରେ ପହଞ୍ଚିଥିଲେ। ତାଙ୍କର ତ୍ୱରିତ ପଦକ୍ଷେପ, ଦକ୍ଷ ନେତୃତ୍ୱ ଓ ମାନବିକ ସେବାଭାବ ଫଳରେ ଆକ୍ରାନ୍ତମାନେ ସମୟମତେ ଚିକିତ୍ସା ସୁବିଧା ପାଇପାରିଛନ୍ତି।

ଡ଼. ଦୀପଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରୁଛନ୍ତି। ମେଡିକାଲ ଟିମରେ ଡାକ୍ତର ରଶ୍ମିତା ବେହେରା, ଡାକ୍ତର ଗୀତାଞ୍ଜଳି ପାତ୍ର, ଫାର୍ମାସିଷ୍ଟ ନିରାକାର ବାରିକ, ଗଗନ ପଣ୍ଡା, ଏଏନଏମ ଚନ୍ଦ୍ରକାନ୍ତି ବରିହା ଓ କାଦମ୍ବିନୀ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ନିରନ୍ତର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଏହି ଘଟଣାର ଖବର ପାଇ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ଶ୍ରୀ ଉମାକାନ୍ତ ମେହେର ତୁରନ୍ତ ଖପ୍ରାଖୋଲ ଡାକ୍ତରଖାନାରେ ପହଞ୍ଚି ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖୋଜଖବର ନେଇଥିଲେ। ସେ ରୋଗୀ ଓ ତାଙ୍କ ପରିବାରବର୍ଗଙ୍କୁ ଧର୍ଯ୍ୟ ଓ ସାହସ ରଖିବାକୁ ପରାମର୍ଶ ଦେଇଥିବାବେଳେ ସମସ୍ତଙ୍କୁ ଯଥାସମୟରେ ଉଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା କହିଥିଲେ। ଏହା ସହିତ ସେ ଡାକ୍ତରୀ ଟିମ ସହ ଆଲୋଚନା କରି ଆକ୍ରାନ୍ତମାନଙ୍କ ଉନ୍ନତ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଆଶ୍ୱାସନା ଦେଇଥିଲେ। ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।
