କଳାହାଣ୍ଡି: ଧର୍ମଗଡ଼ ଅଞ୍ଚଳରେ ଦିନକୁ ଦିନ ବାଇକ୍ ଚୋରି ବଢ଼ିବାରେ ଲାଗିଥିବା ବେଳେ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ବଜାର, ହାଟ, ବ୍ୟାଙ୍କ, ହସ୍ପିଟାଲ ଏବଂ ସରକାରୀ କାର୍ଯ୍ୟାଳୟ ସମ୍ମୁଖରୁ ବାଇକ୍ ଚୋରି ହେଉଥ?ିବା ଅଭିଯୋଗ ଆସୁଛି । ଗତ କିଛି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଘଟିଥିଲେ ମଧ୍ୟ ପୁଲିସ ପକ୍ଷରୁ ସେଭଳି କୌଣସି ଠୋସ ପଦକ୍ଷେପ ନିଆଯାଇନଥିବାରୁ ଲୋକେ ପୁଲିସର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଓ ସୂଚନା ଅନୁସାରେ, ଚୋରମାନେ ବିଶେଷ କରି ଭିଡ଼ ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି । ମାତ୍ର କିଛି ମିନିଟ୍ ମଧ୍ଯରେ ବାଇକ ନେଇ ଚମ୍ପଟ ମାରୁଥିବା ବେଳେ ଅନେକ ଘଟଣାରେ ସିସିଟିଭି ଯାଞ୍ଚ ହେଉଥିଲେ ମଧ୍ୟ ଚୋରଙ୍କୁ ଧରିବାରେ ପୁଲିସ ସଫଳ ହୋଇପାରୁନାହିଁ । ଥାନାରେ ଅଭିଯୋଗ କରିବା ପରେ ମଧ୍ଯ ଅଭିଯୋଗ କାରୀମାନେ କେବଳ ତଦନ୍ତର ଆଶ୍ୱାସନ ପାଉଥିବା ଅଭିଯୋଗ କରିଛନ୍ତି ।ଗତ କିଛି ଦିନ ତଳେ ଧର୍ମଗଡ଼ କଲରପ୍ଲସ ନିକଟରେ ବାଇକ ରଖିଥ?ିବା ବେଳେ ଚିଲିଚିଲା ଗ୍ରାମର ବାଳଗୋପାଳ ସାଗରଙ୍କ ବାଇକ୍ ଚୋରି ହୋଇଥିଲା । ସେହିପରି ଗତ ଶନିବାର ଦିନ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଜିତେନ୍ଦ୍ର ନାଏକଙ୍କ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଅଞ୍ଜଳି ବିୟୁଟିପାର୍ଲର ନିକଟରୁ ସୁକାନ୍ତ ବିଶିଙ୍କ ବାଇକ୍ ଚୋରି ହୋଇଥିବା ବେଳେ ଚିଲିଚିଲା ଗ୍ରାମର ଆଇନଜୀବୀ ସତ୍ୟବାନ ନାଏକଙ୍କ ବାଇକ୍ ମଧ୍ଯ ଚୋରି ହୋଇଥିବା ଜଣାପଡ଼ିଛି। ଗୁରୁବାର ପୁଣି ଏଫଏଲ ସପ ସମ୍ମୁଖରୁ ଷଷ୍ଠିଧର ଗୋପାଳଙ୍କ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଇକ୍ ଚୋରି କରୁଥିବା ଲାଇଭଭିଜୁଆଲ ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲେ ମଧ୍ୟ ପୁଲିସ ଚୋର ଧରିବାରେ ବିଫଳ ହୋଇଛି।
ରାତ୍ରିକାଳୀନ ପେଟ୍ରୋଲିଂ ଦୁର୍ବଳ ହୋଇପଡ଼ିଥିବା ବେଳେ ସନ୍ଦେହଜନକ ଯୁବକଙ୍କ ଉପରେ ପୁଲିସ ପକ୍ଷରୁ ସଠିକ୍ ନଜରଦାରି ହେଉନାହିଁ ଓ ଫଳରେ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିଥ?ିବା ଚର୍ଚ୍ଚା ହେଉଛି। ଅଞ୍ଚଳବାସୀ ଧର୍ମଗଡ଼ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ, ନିୟମିତ ପାଟ୍ରୋଲିଂ ଓ ଚୋରଙ୍କୁ ଚିହ୍ନଟ କରି ଚୋରି ରୋକିବାକୁ ଦାବି କରିଛନ୍ତି।
