ପୁରୀ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ଓ ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁଙ୍କ ସ୍ୟାଣ୍ଡ ଆନିମେସନକୁ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରୁ ଧାଣ୍ଡା ଇନ୍ଷ୍ଟାଗ୍ରାମ୍ ରେ ପ୍ରଶଂସା କରିଛନ୍ତି।ଭାରତ ପାଇଁ ଗୌରବ ଆଣିଥିବା ନୀରୁ ଧାଣ୍ଡାଙ୍କ ସଫଳତାକୁ ସମ୍ମାନ ଜଣାଇ ମାନସ ସାହୁ ଏକ ସ୍ୱତନ୍ତ୍ର ସ୍ୟାଣ୍ଡ ଆନିମେସନ୍ ସୃଷ୍ଟି କରିଥିଲେ। ତାଙ୍କର ଏହି କଳାକୃତିରେ ନୀରୁଙ୍କ ଅଦମ୍ୟ ସାହସ, ନିଷ୍ଠା, ପରିଶ୍ରମ ଓ ବିଜୟର ଗୌରବକୁ ବାଲୁକା କଳା ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା।ନିଜ ସଫଳତାକୁ ନେଇ ସୃଷ୍ଟି ହୋଇଥିବା ଏହି କଳାକୃତିକୁ ନୀରୁ ଧାଣ୍ଡା ନିଜେ ପ୍ରଶଂସା କରିବା ମାନସ ସାହୁଙ୍କ ପାଇଁ ଏକ ବିଶେଷ ଗୌରବର ମୁହୂର୍ତ୍ତ ପାଲଟିଛି। ନୀରୁଙ୍କ ଏହି ଭଲପାଇବା ଓ ପ୍ରଶଂସା ପାଇଁ ମାନସ ସାହୁ ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।ଭାରତୀୟ କ୍ରୀଡ଼ାବିତ୍, କଳାକାର ଓ ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିତ୍ୱଙ୍କ ସଫଳତାକୁ ନିଜ ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ ସମ୍ମାନ ଜଣାଇ ଆସୁଛନ୍ତି ମାନସ ସାହୁ। ତାଙ୍କ କଳା ମାଧ୍ୟମରେ ଦେଶର ପ୍ରତିଭା ଓ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ତାଙ୍କର ଏକ ପ୍ରମୁଖ ପ୍ରୟାସ।ଜଣେ ସଫଳ କ୍ରୀଡ଼ାବିତ୍ଙ୍କ ଦ୍ୱାରା ନିଜ କଳାକୃତିର ପ୍ରଶଂସା ଜଣେ କଳାକାରଙ୍କ ପାଇଁ ଏହାଠାରୁ ବଡ଼ ପ୍ରେରଣା ଆଉ କ’ଣ ହୋଇପାରେ ।
