ବାରିପଦା /କରଞ୍ଜିଆ: କରଞ୍ଜିଆ ବ୍ଲକ ବଳା ପଞ୍ଚାୟତର କୁରୁଳିଆ ଗ୍ରାମ ନିକଟରେ ଏକ ରାଇସମିଲ୍ ଟ୍ରକ ଚକା ତଳେ ଚାପି ହୋଇ ୬ ବର୍ଷୀୟ ଶିଶୁ ବିଶ୍ୱଜିତ ନାଏକର ମୃତ୍ୟୁ ଘଟିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶିଶୁର ମୃତଦେହକୁ ରାଇସମିଲ୍ ସମ୍ମୁଖରେ ରଖି ଲୋକେ ନ୍ୟାର୍ଯ୍ୟ କ୍ଷତିପୂରଣ ଦାବିରେ ଧାରଣାରେ ବସିଥିଲେ ।ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଓ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ପରିବାରବର୍ଗ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଧାରଣା ଜାରି ରହିଥିଲା ।ବିଳମ୍ବିତ ରାତି ପ୍ରାୟ ୧୧ ଘଟିକା ସମୟରେ ଉପଖଣ୍ଡ ପୋଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପରେ ଗ୍ରାମବାସୀ ମାନେ ଧାରଣାରୁ ଓହରିଥିଲେ । ପୋଲିସ ଶିଶୁର ମୃତଦେହ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଘଟଣାରେ ବ୍ୟବହୃତ ଟ୍ରକକୁ ପୋଲିସ ଥାନାକୁ ଆଣି କେଶ ନଂ ୧୭୫/୨୬ ମୂଳେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାର ପ୍ରକାଶ ।
