ପୁରୀ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ଠାରେ ଅନୁଷ୍ଠିତ ୩୮ତମ ଜାତୀୟ ସବ୍-ଜୁନିୟର ବାଳକ-ବାଳିକା ସଫ୍ଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଦଳ ଐତିହାସିକ ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରୋମାଞ୍ଚକର ଅନ୍ତିମ ମୁକାବିଲାରେ ଓଡ଼ିଶା ଦଳ କେରଳକୁ ୪-୨ ବ୍ୟବଧାନରେ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛନ୍ତି।ଏହି ଐତିହାସିକ ବିଜୟରେ ପୁରୀ ଜିଲ୍ଲାର ଖେଳାଳିମାନଙ୍କର ପ୍ରମୁଖ ଯୋଗଦାନ ରହିଛି। ସ୍ୱର୍ଣ୍ଣ ପଦକ ବିଜେତା ରାଜ୍ୟ ବାଳକ ଦଳରେ ପୁରୀ ଜିଲ୍ଲାରୁ ସୁନିଲ ରଂଜନ ସାହୁ, କାଳିଆ ସେନାପତି, ସାଇ ରାମ ସେନାପତି ଏବଂ ବିଶ୍ୱ ରଂଜନ ମାଝୀ ସାମିଲ ହୋଇ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେହିପରି ବାଳିକା ବିଭାଗରେ ପୁରୀର ପ୍ରତିଭାବାନ ଖେଳାଳି ସାୟଲ ସାହୁ ମଧ୍ୟ ଅଂଶଗ୍ରହଣ କରିଥିଲେ।ପୁରୀ ଜିଲ୍ଲାର ଏହି ଉଦୀୟମାନ ଖେଳାଳିମାନେ ନିଜ କ୍ରୀଡ଼ା ନୈପୁଣ୍ୟ ବଳରେ ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ପୁରୀ ଜିଲ୍ଲାରେ କ୍ରୀଡ଼ାର ଉନ୍ନତି ତଥା ଖେଳାଳିମାନଙ୍କୁ ଆଗକୁ ବଢ଼ାଇବାରେ ରାଜ୍ୟ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁଙ୍କର ପ୍ରମୁଖ ଅବଦାନ ରହିଛି ବୋଲି ଏହି ଅବସରରେ ମତପ୍ରକାଶ ପାଇଛି।ବିଜୟୀ ଦଳ ଓଡ଼ିଶା ଫେରିବା ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସେମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପୁରୀ ଜିଲ୍ଲା ସଫ୍ଟବଲ୍ ସଂଘର କର୍ମକର୍ତ୍ତାମାନେ ଷ୍ଟେସନରେ ଉପସ୍ଥିତ ରହି ବିଜୟୀ ଖେଳାଳିମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ପୁରୀ ଜିଲ୍ଲା ସଭାପତି ଅରବିନ୍ଦ ଦାସ, ସମ୍ପାଦକ ରଂଜନ କୁମାର ରଥ ଏବଂ କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମହାନ୍ତି, ଲକ୍ଷ୍ମଣ ଆଚାରି, ସରୋଜ ମଲ୍ଲିକ, ନିରଂଜନ ବିଶ୍ୱାଳ, ସଂଜୀବ ରେଡ୍ଡୀ, ରାମ ଚନ୍ଦ୍ର ମହାପାତ୍ର, କପିଳେଶ୍ୱର ମହାପାତ୍ର, ଲକ୍ଷ୍ମୀ ନାରାୟଣ ପୃଷ୍ଟି ଓ ରୋଜାଲିନ୍ ରଥ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ।
