ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏସୀୟ କ୍ରୀଡ଼ାରେ ମହିଳା ବ୍ୟକ୍ତିଗତ ଗଲ୍ଫ ଏବଂ ରିକର୍ଭ ତୀରନ୍ଦାଜୀ ଇଭେଣ୍ଟରେ ଯଥାକ୍ରମେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଣବୀ ଶରତ ଉର୍ସ ଏବଂ କୁମକୁମ୍ ଅନିଲ ମୋହୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଜୟକୁ ଦେଶ ପାଇଁ ସ୍ମରଣୀୟ କ୍ରୀଡ଼ା ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିବା ସହ ଉଭୟ ଖେଳାଳିଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। “ଇତିହାସ ପୃଷ୍ଠାରେ ସ୍ଥାନ ପାଇବା ଭଳି ଏକ ଘଟଣା! ଏସୀୟ କ୍ରୀଡ଼ାରେ ମହିଳା ବ୍ୟକ୍ତିଗତ ଗଲ୍ଫରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଣବୀ ଶରତ ଉର୍ସଙ୍କୁ ଅଭିନନ୍ଦନ। ତାଙ୍କର ଚମତ୍କାର ପ୍ରଦର୍ଶନ ଦେଶକୁ ଏକ ସ୍ମରଣୀୟ କ୍ରୀଡ଼ା ମୁହୂର୍ତ୍ତ ପ୍ରଦାନ କରିଛି। ଏହି ବିଜୟ ଅଧିକରୁ ଅଧିକ ଯୁବ ଭାରତୀୟଙ୍କୁ ଏହି ଖେଳ ପ୍ରତି ଆକର୍ଷିତ କରୁ ଏବଂ ସେମାନଙ୍କୁ ଶୀର୍ଷ ସ୍ଥାନ ହାସଲ କରିବାକୁ ଅନୁପ୍ରାଣିତ କରୁ। ଚମତ୍କାର ଖେଳ ପ୍ରଦର୍ଶନ ପାଇଁ ପ୍ରଣବୀଙ୍କୁ ଶୁଭେଚ୍ଛା ବୋଲି ପ୍ରଧାନମନ୍ତ୍ରୀ ମୋଦୀ “ଏକ୍ସ’ (ଢ) ରେ ପୋଷ୍ଟ କରିଛନ୍ତି। ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ପ୍ରଣବୀ କାସୁଗାଇ କଣ୍ଟ୍ରି କ୍ଲବ୍ ଇଷ୍ଟ କୋର୍ସରେ ଚାରି ରାଉଣ୍ଡ ଖେଳି “୧୫-ଅଣ୍ଡର’ ସ୍କୋର (୨୬୫) ହାସଲ କରିଥିଲେ। ସେ ତିନି-ଷ୍ଟ୍ରୋକ୍ର ଅଗ୍ରଣୀ ସହ ଫାଇନାଲ୍ ରାଉଣ୍ଡ ଆରମ୍ଭ କରିଥିଲେ ମଧ୍ୟ ତୃତୀୟ ହୋଲ୍?ରେ “ଟ୍ରିପଲ୍ ବୋଗି’ର ସମ୍ମୁଖୀନ ହୋଇଥିଲେ। ତେବେ ଷଷ୍ଠ, ଦଶମ ଏବଂ ତ୍ରୟୋଦଶ ହୋଲ୍ରେ “ବାର୍ଡି’ ହାସଲ କରି ସେ ସ୍ଥିତି ସୁଧାରିଥିଲେ ଏବଂ ଶେଷରେ “ଇଭେନ୍-ପାର୍ ୭୦’ ସ୍କୋର ସହ ଖେଳ ଶେଷ କରିଥିଲେ।

କୁମକୁମ୍ଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: “ଏକ ସ୍ୱର୍ଣ୍ଣ ବିଜୟ ଯାହା ସର୍ବଦା ମନେ ରହିବ। ଏସୀୟ କ୍ରୀଡ଼ାରେ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିବାରୁ କୁମକୁମ୍ ଅନିଲ ମୋହୋଦଙ୍କୁ ଅଭିନନ୍ଦନ। ନିର୍ଣ୍ଣାୟକ ‘ସୁଟ୍-ଅଫ୍’ ସମୟରେ ତାଙ୍କର ସ୍ଥିରତା ବିଶେଷ ଭାବେ ଉଲ୍ଲେଖନୀୟ ଥିଲା। ସେ ଆଗକୁ ଆହୁରି ଉଚ୍ଚ ଲକ୍ଷ୍ୟ ହାସଲ କରନ୍ତୁ! ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା।” ଦକ୍ଷିଣ କୋରିଆର ୟେଜିନ୍ ଓହ୍ଙ୍କ ବିପକ୍ଷରେ ଏକ କଡ଼ା ମୁକାବିଲା ପରେ ଏହି କିଶୋରୀ ରିକର୍ଭ ବ୍ୟକ୍ତିଗତ ଟାଇଟଲ୍ ଜିତିଥିଲେ। ପାଞ୍ଚଟି ସେଟ୍ ପରେ ମୁକାବିଲା ୫-୫ ସ୍କୋରରେ ବରାବର ରହିଥିଲା; ତେବେ ‘ୱାନ୍-ଆରୋ ସୁଟ୍-ଅଫ୍’ରେ କୁମକୁମ୍ ବିଜୟୀ ହୋଇଥିଲେ। ଏଥିରେ ଓହ୍ ୮ ପଏଣ୍ଟ ପାଇଥିବା ବେଳେ କୁମକୁମ୍ ୧୦ ପଏଣ୍ଟ ହାସଲ କରିଥିଲେ। କୁମକୁମ୍ଙ୍କ ଏହି ବିଜୟ ଭାରତ ପାଇଁ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ କ୍ରୀଡ଼ା ନିମନ୍ତେ ଏକ ବ୍ୟକ୍ତିଗତ କୋଟା ସ୍ଥାନ ମଧ୍ୟ ସୁନିଶ୍ଚିତ କରିଛି।
