ନୂଆଦିଲ୍ଲୀ: ସିଜେପି ଶନିବାର ଦିନ ସ୍ପଷ୍ଟ କରିଛି ଯେ ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖ ପାଇଁ ପ୍ରସ୍ତାବିତ ବିକ୍ଷୋଭ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ। ଯଦି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି, ତେବେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଚାହୁଁଥିବା ପ୍ରତ୍ୟେକ ନାଗରିକଙ୍କୁ ଏହି ଆନ୍ଦୋଳନରେ ଯୋଗଦେବାକୁ ଦଳ ଆହ୍ୱାନ ଦେଇଛି। ନିର୍ବାଚନ ପ୍ରକ୍ରିୟା ଏବଂ “ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ’ (ଏସଆଇଆର) କାର୍ଯ୍ୟକ୍ରମ ପରିଚାଳନାରେ ଅନିୟମିତତା ଅଭିଯୋଗ ଆଣି “କକ୍ରୋଚଜନତା ପାର୍ଟି’ (ସିଜେପି) କୁମାରଙ୍କ ଇସ୍ତଫା ଦାବି କରିଆସୁଛି। ଶନିବାର ଦିନ ଏଠାରେ ଜାରି ଏକ ବିବୃତ୍ତିରେ ସିଜେପିର ପ୍ରତିଷ୍ଠାତା ତଥା ଆବାହକ ଅଭିଜିତ୍ ଦୀପକେ କହିଛନ୍ତି ଯେ ଯଦି କୁମାର ପଦ ଛାଡ଼ି ନ ଦିଅନ୍ତି, ତେବେ ଦେଶର ବିଭିନ୍ନ ପ୍ରାନ୍ତରୁ ନାଗରିକ ଓ ଆନ୍ଦୋଳନକାରୀମାନେ ନୂଆଦିଲ୍ଲୀରେ ଏକତ୍ରିତ ହେବେ ଏବଂ ଜନ୍ତରମନ୍ତର ଠାରେ ଏକ ବିଶାଳ ବିକ୍ଷୋଭ ଆରମ୍ଭ କରିବେ। ଦୀପକେ କହିଛନ୍ତି, “ଯଦି ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି, ତେବେ ସାରା ଭାରତରୁ ସିଜେପି ସମର୍ଥକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ଅକ୍ଟୋବର ୧୦ ତାରିଖରେ ଜନ୍ତର ମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ।’ ଆହୁରି ମଧ୍ୟ, ଯଦି ଦିଲ୍ଲୀ ପୋଲିସ ଆମକୁ ଅଟକାଇବାକୁ ଚେଷ୍ଟା କରେ, ତେବେ ସେମାନେ ଆମକୁ ଯେଉଁଠାରେ ଅଟକାଇବେ, ସେହି ସ୍ଥାନ ହିଁ ଆମ ପାଇଁ “ଜନ୍ତର ମନ୍ତର’ ପାଲଟିଯିବ। ଆମର ଏହି ବିକ୍ଷୋଭ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ। “ଆମେ ମହାତ୍ମା ଗାନ୍ଧୀ ଦେଖାଇଥିବା ପଥରେ ଚାଲିବୁ ବୋଲି ସେ କହିଥିଲେ। ବିବୃତ୍ତି ଅନୁଯାୟୀ, ଦିଲ୍ଲୀରେ ହେବାକୁ ଥିବା ଏହି ବିକ୍ଷୋଭ “ସମ୍ପୂର୍ଣ୍ଣ ଭାବେ ଅହିଂସା ନୀତି ଉପରେ ଆଧାରିତ ହେବ’ ଏବଂ “ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ଐତିହାସିକ ଅସହଯୋଗ ଆନ୍ଦୋଳନରୁ ପ୍ରେରଣା ଲାଭ କରିବ। ସିଜେପି ନେତୃତ୍ୱ କହିଛି ଯେ “ଅଫିସରତନ୍ତ୍ରର ବାଧାବିଘ୍ନ’ ଏହି ଆନ୍ଦୋଳନକୁ ଦବାଇ ପାରିବ ନାହିଁ; ସେମାନେ ନିଜର ଦୃଢ଼ ସଂକଳ୍ପର ପ୍ରମାଣ ସ୍ୱରୂପ ପୂର୍ବରୁ ହୋଇଥିବା ଦୀର୍ଘସ୍ଥାୟୀ ବିକ୍ଷୋଭ ଏବଂ ନିକଟରେ ହୋଇଥିବା ଗିରଫଦାରୀ ଘଟଣାକୁ ଉଲ୍ଲେଖ କରିଥିଲେ। “ଏହା ଆମ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ଲଢ଼େଇ ବୋଲି ଦୀପକେ କହିଥିଲେ।
