ନୂଆଦିଲ୍ଲୀ: ଆମେରିକାର ଓହାଇଓ ରାଜ୍ୟରେ ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରାଯାଇଥିବା କଥା ଶନିବାର ଦିନ ଅନେକ ହିନ୍ଦୁ ସଂଗଠନ ସୂଚନା ଦେଇଛନ୍ତି। ଏହି ଘଟଣାରେ ମନ୍ଦିରର କ୍ଷତି ହୋଇଛି। ଓହାଇଓର “ଗ୍ରେଟର୍ କ୍ଲିଭଲ୍ୟାଣ୍ଡ’ ଅଞ୍ଚଳରେ “ସ୍ୱାମୀନାରାୟଣ ହିନ୍ଦୁ ମନ୍ଦିର ଭାଡଥାଲଧାମ’ଅବସ୍ଥିତ। ସଂଗଠନଗୁଡ଼ିକର ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଥିଲା, ଯେତେବେଳେ ପୂଜକ ଓ ଭକ୍ତଙ୍କ ସମେତ ଅନେକ ଲୋକ ମନ୍ଦିର ଭିତରେ ଥିଲେ। ମନ୍ଦିରର ଝରକାଗୁଡ଼ିକ ଭାଙ୍ଗି ଦିଆଯାଇଥିଲା ଏବଂ ମନ୍ଦିର ଉପରକୁ ଇଟା ଫିଙ୍ଗା ଯାଇଥିଲା; ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ହିନ୍ଦୁ ଆମେରିକାନ୍ ଫାଉଣ୍ଡେସନ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁହାଗ ଶୁକ୍ଲା “ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, “ଏହା ବର୍ତ୍ତମାନ ବାସ୍ତବ ରୂପ ନେଇଛି। ଅନ୍ଲାଇନ୍ରେ ଥିବା ଘୃଣାଭାବ ଏବେ ଏକ ହିନ୍ଦୁ ମନ୍ଦିର ଉପରେ ପ୍ରକୃତ ଆକ୍ରମଣର ରୂପ ନେଇଛି। ଭିଡିଓ ଯାଞ୍ଚ କରନ୍ତୁ ଏବଂ ଦୋଷୀକୁ ଧରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଦେଶର ନିର୍ବାଚିତ ନେତା ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ଆହ୍ୱାନ କରୁଛୁ ଯେ ସେମାନେ ଭାରତୀୟ ଓ ହିନ୍ଦୁ ଆମେରିକୀୟ ସମ୍ପ୍ରଦାୟ ବିରୁଦ୍ଧରେ କରାଯାଉଥିବା ଘୃଣ୍ୟ ମନ୍ତବ୍ୟକୁ ସର୍ବସାଧାରଣରେ ଓ ଦୃଢ଼ ଭାବରେ ନିନ୍ଦା କରନ୍ତୁ। ଏହି ଆକ୍ରମଣକୁ “ହିନ୍ଦୁଫୋବିଆର ଏକ ନୂତନ ଘଟଣା’ ବୋଲି ବର୍ଣ୍ଣନା କରିଛି। ସଂଗଠନ ପକ୍ଷରୁ ପୋଲିସକୁ ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ରିଚମଣ୍ଡ ହାଇଟ୍ସର ମେୟର କିମ୍ ଥୋମାସ୍ଙ୍କୁ “ଏଭଳି ସଂକୀର୍ଣ୍ଣ ମନୋଭାବ’କୁ ନିନ୍ଦା କରିବାକୁ ଅନୁରୋଧ କରାଯାଇଛି। ଓହାଇଓରେ ହିନ୍ଦୁମାନେ ‘ହିନ୍ଦୁ ଐତିହ୍ୟ ମାସ” ପାଳନ କରିବା ଆରମ୍ଭ କରୁଥିବା ଏବଂ ନବରାତ୍ରି ମାଧ୍ୟମରେ ଦେବୀ ଶକ୍ତିଙ୍କୁ ସମ୍ମାନ ଜଣାଉଥିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ଆମେରିକା ସାରା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଗତ ବର୍ଷ ଆମେରିକାର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଘଟଣା ଘଟିଥିଲା। ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ସୁହାସ ସୁବ୍ରମଣ୍ୟମ୍ ଏହି ଘଟଣାଗୁଡ଼ିକର ନିନ୍ଦା କରି କହିଥିଲେ ଯେ, ଆମେରିକାର ଲୋକଙ୍କର ବିନା ଭୟରେ ନିଜ ଧର୍ମ ପାଳନ କରିବାର ଅଧିକାର ରହିଛି। ଆକ୍ରମଣର ଶିକାର ହୋଇଥିବା ମନ୍ଦିର ଭଳି ଧର୍ମସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ କରିବା ଦିଗରେ ଲଗାତାର ପ୍ରୟାସ ଜାରି ରଖିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡେମୋକ୍ରାଟିକ୍ କଂଗ୍ରେସ ସଦସ୍ୟ ସୁବ୍ରମଣ୍ୟମ୍ କହିଥିଲେ, “ଆମ ସମାଜରେ ଘୃଣାଭାବ ପାଇଁ କୌଣସି ସ୍ଥାନ ନାହିଁ, ତେଣୁ ମୁଁ ଦେଶବ୍ୟାପୀ ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ହୋଇଥିବା ସାମ୍ପ୍ରତିକ ଘୃଣାପୂର୍ଣ୍ଣ ଆକ୍ରମଣକୁ ନିନ୍ଦା କରୁଛି। ଆମେରିକାରେ ବୃଦ୍ଧି ପାଉଥିବା ଘୃଣାଭାବର ମୁକାବିଲା କରିବା ଏବଂ ଆମ ସମାଜର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମକୁ ଅଧିକ ପ୍ରୟାସ କରିବାକୁ ହେବ। ତେଣୁ, ଏହି ଲକ୍ଷ୍ୟ ହାସଲ କରିବା ପାଇଁ ମୁଁ ଉଭୟ ଦଳର ସହଯୋଗୀମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ ଜାରି ରଖିବି।
